କନକ ବ୍ୟୁରୋ : ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ କରିଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣ ପ୍ରାର୍ଥିପତ୍ର ନେଇଥିଲେ ବି କେହି ନାମାଙ୍କନ ଦାଖଲ କରିନାହାନ୍ତି । ଏହାରି ଭିତରେ ଆଜି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ।

Advertisment

ତେବେ ଏନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ । ସୋମବାର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଚାଷୀଙ୍କ ଦାବି ଓ ନିଷ୍ପତିକୁ ସମ୍ମାନ ଜଣାଇ ସେ ପ୍ରାର୍ଥିପତ୍ର ଦାଖଲ କରିନଥିଲେ । ଦୀର୍ଘ ୧୫ ଦିନ ଧରି ବୋଡାସମ୍ବର କୃଷକ ସଂଗଠନର ନେତୃତ୍ୱରେ ବୀମା ଓ ଇନପୁଟ ସବସିଡ୍ ଦାବିରେ ଚାଷୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହା ସହିତ ଜିଲ୍ଲା ଗଠନ ଦାବିରେ ମଧ୍ୟ ଆନ୍ଦୋଳନ ଚାଲିଛି । କେବଳ ବିଜେପି ନୁହେଁ, ସବୁ ରାଜନୈତିକ ଦଳ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ତେବେ କେଉଁ ରାଜନୈତିକ ଦଳ ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।