କନକ ବ୍ୟୁରୋ: ଜଗତସିଂହପୁର ତିର୍ତୋଲଠାରେ ବନ୍ଦ ହୋଇ ପଡିଥିବା ସାରଳା ସୂତାକଳର ପୁନରୁଦ୍ଧାର ପାଇଁ ପଦଯାତ୍ରା । ସୂତାକଳ ସମ୍ମୁଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଏଁ ପଦଯାତ୍ରା କରିଛି କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ସୂତାକଳକୁ ରୁଣମୁକ୍ତ ଓ ପୁନରୁଦ୍ଧାର ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିର୍ତୋଲ ଜନତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି । ହଜାର ହଜାର ପରିବାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ୧୯୮୨ରେ ହୋଇଥିଲା ସାରଳା ସୂତାକଳର ଭିତିପ୍ରସ୍ତର ସ୍ଥାପନ । । ସୂତାକଳ ସ୍ଥାପନ ପାଇଁ ଖର୍ଚ୍ଚ ହୋଇଥିଲା ୧୨ କୋଟି ଟଙ୍କା । ୧୯୮୪ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ଏହି ସ୍ପିନିଙ୍ଗ ମିଲ । ୧୫୦୦ରୁ ଅଧିକ ଶ୍ରମିକ ଓ କର୍ମଚାରୀ ପାଇଥିଲେ ନିଯୁକ୍ତି । ମିଲରୁ ଉତ୍ପାଦନ ହେଉଥିବା ସୂତାର ଚାହିଦା ଦେଶ ବିଦେଶରେ ରହିଥିଲା । ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହେଉଥିଲା ସୂତା । କିନ୍ତୁ ୧୯୯୯ ମହାବାତ୍ୟାରେ ସୂତାକଳରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି ।

ମରାମତି ପାଇଁ ସରକାର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ସୂତାକଳ କାର୍ଯ୍ୟକ୍ଷମ ହୋଇପାରିନଥିଲା । ଏହାପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ସୂତାକଳ । କିଛି ଦିନ ତଳେ ଏସବିଆଇର ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା କାରଖାନାକୁ ଅକ୍ତିଆର କରିଛି । ବ୍ୟାଙ୍କ ଦେଇଥିବା ରୁଣ ସୁଧ ବାବଦକୁ ଜମି ଓ ଯନ୍ତ୍ରାଂଶକୁ ଦଖଲକୁ ନେଇଛି । ଯାହାକୁ ନେଇ ନେଇ ନିରାଶ ହୋଇପଡିଛନ୍ତି ରୋଜଗାର ହରାଇଥିବା ହଜାର ହଜାର ପରିବାର ।