୨ ଦିନ ପାଇଁ ସ୍ଥଗିତ ରହିଲା ଶ୍ରୀକ୍ଷେତ୍ରର ଉଚ୍ଛେଦ କାମ: ହେଲେ ମହନ୍ତଙ୍କୁ ମନାଇବା ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ, ବିସ୍ଥାପିତଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିପାରନ୍ତି ରାଜ୍ୟ ସରକାର

447

କନକ ବ୍ୟୁରୋ: ପୁରୀ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ଧରଣର ପ୍ୟାକେଜ୍ ଘୋଷଣା କରିପାରନ୍ତି। ଖଜା ଦୋକାନୀ, ଉଠା ଦୋକାନୀଙ୍କଠାରୁ ଆରମ୍ଭ କରି ଦରଜିଙ୍କ ପର୍ଯ୍ୟନ୍ତ ଯେଉଁମାନେ ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଛନ୍ତି ସମସ୍ତଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯିବ। ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆସନ୍ତା ବୁଧବାର ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ବିସ୍ଥାପିତଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି। କେବଳ ସେତିକି ନୁହେଁ, ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୁରୀ ବିକାଶ ପାଇଁ ନିର୍ଦ୍ଦିଷ୍ଟ କେଉଁ ମଠ, ଦୋକାନ ଉଚ୍ଛେଦ କରାଯିବ ସେ ଦିନ ଆପାତତଃ ଏକ ସ୍ପଷ୍ଟ ଚିତ୍ର ମିଳିଯିବ। ନିଷ୍ପତ୍ତି ମୁତାବକ, ପୁରୀ ବଡ଼ଦାଣ୍ଡରେ ଆଉ କେହି ଉଠାଦୋକାନୀ ବସି ପାରିବେ ନାହିଁ। ସେହିଭଳି ଶ୍ରୀମନ୍ଦିର ଚାରିପାଖରେ ଭିକାରୀମାନଙ୍କ ବସିବା ଉପରେ ବି ଲାଗିବ କଡ଼ା କଟକଣା। ଥଇଥାନ ପ୍ୟାକେଜ୍ ଘୋଷଣା ହେବା ପରେ ସମ୍ଭବତଃ ଉଚ୍ଛେଦକୁ ନେଇ ଆଉ କୌଣସି ଦ୍ବନ୍ଦ୍ବ ରହିବ ନାହିଁ। ଏହା ପରେ ଉଚ୍ଛେଦ ପ୍ରକ୍ରିୟା ଜୋରଦାର ହେବ।

ତେବେ ଜିଲ୍ଲା ପ୍ରଶାସନର ହାବଭାବରୁ ଯାହା ଜଣାପଡୁଛି ୭୫ ମିଟର ଉଚ୍ଛେଦ ହେବ ହିଁ ହେବ। କୌଣସି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏଥିରେ ସାଲିସ୍ କରିବନି। ଛୁଟି ଯୋଗୁଁ ଆସନ୍ତା ଦୁଇ ଦିନ ଉଚ୍ଛେଦ ବନ୍ଦ ରହି ଅଳିଆ ଆବର୍ଜନା ଉଠିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କାହାର ଜୀବିକାକୁ ବିପନ୍ନ କରି ପ୍ରଶାସନ ଉଚ୍ଛେଦ କରିବ ନାହିଁ। ଏ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବିଶେଷ କରି ଖଜା, ବଳିତା, ଫୁଲ ଆଦି ଭୋଗ ଦୋକାନ ଯାହା ଶ୍ରୀମନ୍ଦିର ବ୍ୟବସ୍ଥାରେ ପ୍ରତିଦିନ ଲାଗିଥାଏ ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିବା ପାଇଁ ଯୋଜନା ଚାଲିଛି। ଶ୍ରୀମନ୍ଦିର ନିରାପତ୍ତାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଆମିକସ୍ କ୍ୟୁରି, ସଲିସିଟର ଜେନେରାଲଙ୍କୁ ନେଇ ଆଡଭୋକେଟ୍ ଜେନେରାଲ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନେ ସ୍ଥିତି ଅନୁଧ୍ୟାନ କରି ସୁପ୍ରିମକୋର୍ଟଙ୍କୁ ଜଣାଇବେ। ତା’ ପୂର୍ବରୁ ୭୫ ମିଟର ଉଚ୍ଛେଦକୁ ନେଇ ପ୍ରଶାସନ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରି ସାରିଥିବ।