ଏବେ ବି ଫନି ମାଡରୁ ମୁକୁଳିନାହାନ୍ତି ପାନଚାଷୀ ! ସରକାରୀ ବାବୁଙ୍କ ମନମାନି ଯୋଗୁଁ କ୍ଷତିପୂରଣ ପାଇନାହାନ୍ତି ପିପିଲି ଚାଷୀ । ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ଦେଲେ କୃଷିମନ୍ତ୍ରୀ ।

127

ପାନ ଚାଷ ପାଇଁ ଦେଶବିଦେଶରେ ରହିଛି ପିପିଲିର ନାଁ । ପିପିଲି ଅଂଚଳର ଅନେକଲୋକ ପାନ ଚାଷ କରି ଭଲ ଦୁଇ ପଇସା ରୋଜଗାର କରଥାନ୍ତି । ହେଲେ ଗତ ଫନି ବାତ୍ୟାରେ ଉଜୁଡି ଯାଇଛି ସମ୍ପୂର୍ଣ୍ଣ ପାନ ଚାଷ । ନୂଆ କରି ପାନ ବରଜ କରିବା ପାଇଁ ଏମାନଙ୍କ ପାଖରେ ସମ୍ବଳ ନାହିଁ । ଆରପଟେ ପ୍ରଶାସନିକ କଳର ଆନ୍ତରିକତା ଅଭାବରୁ ଏବେବି କ୍ଷତିଗ୍ରସ୍ତମାନେ ସରକାରୀ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି ।

ପୁରୀ ଜିଲ୍ଲା ପିପିଲି ଅଂଚଳରେ ଅନେକ ଚାଷୀ ପାନ ଚାଷ କରି ବେଶ ଭଲ ଦୁଇ ପଇସା ରୋଜଗାର କରି ପରିବାର ଚଳାନ୍ତି । ପାନ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଅନେକ ଶିକ୍ଷିତ ଯୁବକ ମଧ୍ୟ ଚାକିରୀ ପଛରେ ନଦୌଡି ପାନ ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଏପରିକି ପିପିଲି ଅଂଚଳରୁ ପାନ ଦେଶ ବିଦେଶକୁ ଯାଇଥାଏ । ହେଲେ ଗତ ଫନି ବାତ୍ୟାରେ ବରଜ ଉଜୁଡି ଗଲା ପରେ ଧାରକରଜ ସୁଝିବା ଓ ପରିବା ଚଳାଇବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଛି ।

ଅନ୍ୟପଟେ ସରକାରୀ ବାବୁଙ୍କ ମନମାନି ଯୋଗୁଁ ବହୁ ଚାଷୀ କ୍ଷତିପୂରଣ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଯେଉଁମାନଙ୍କ ନାଁ କ୍ଷତିପୂରଣ ପାଇବା ପାଇଁ ତାଲିକାରେ ରହିଛି ସେମାନଙ୍କ ମଧ୍ୟ ଏପର୍ଯ୍ୟନ୍ତ ମିଳିନଥିବା କହିଛନ୍ତିି ଚାଷୀ । ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଛନ୍ତି ।