ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ଦେବନାରାୟଣ ପଣ୍ଡାଙ୍କ ସ୍ତ୍ରୀ ଓ ଝିଅଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ

ତଦନ୍ତ ପ୍ରକିୟାଙ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେ ମୃତ ପିଏଙ୍କ ପରିବାର

59

କନକ ବ୍ୟୁରୋ : ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି । ଜୟପୁରରେ ରହୁଥିବା ମୃତ ଦେବ ନାରାୟଣଙ୍କ ସ୍ତ୍ରୀ ଓ ଝିଅଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ପ୍ରାୟ ୧ ଘଂଟା ଧରି ପଚରା ଉଚରା କରାଯାଇଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚକୁ ଏହି ହାଇପ୍ରୋଫାଇଲ ମାମଲା ହସ୍ତାନ୍ତର ପରେ କିଶୋର ଦାସଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତଦନ୍ତ ଆରମ୍ଭ କରିଥିଲେ ।

ହେଲେ ତାଙ୍କ ପଦୋନ୍ନତି ସହ ବଦଳି ହୋଇଯାଇଥିବାରୁ ଡିଏସପି ଦେବବ୍ରତ ଖଟୁଆଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ମିଳିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ଦେବ ନାରାୟଙ୍କ ସ୍ତ୍ରୀ । ବାରମ୍ବାର ତଦନ୍ତକାରୀ ଅଧିକାରୀଙ୍କ ବଦଳି ଯୋଗୁଁ ତଦନ୍ତରେ ବିଳମ୍ବ ହେଉଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଜିଲ୍ଲାପାଳ ଜଣେ ଆଇଏଏସ ଅଧିକାରୀ ଏବଂ ତତକାଳୀନ ଏସପିଙ୍କ ଭୂମିକାକୁ ନେଇ ସନ୍ଦେହ ରହିଛି । ତେଣୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣେ ଡିଏସପି ପାହ୍ୟାର ଅଧିକାରୀ କିଭଳି ଜେରା କରିପାରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତ ଦେବ ନାରାୟଣଙ୍କ ସ୍ତ୍ରୀ ବନଜା ପଣ୍ଡା ।