କନକ ବ୍ୟୁରୋ: ପୁଣେରୁ କିଭଳି ଠକୁଥିଲା ଆକାଶ ପାଠକ୍? କିଭଳି ଫଶାଉଥିଲା ନିଯୁକ୍ତିର ମିଛ ଜାଲରେ? କ୍ରାଇମବ୍ରାଂଚ ସାମ୍ନାରେ ଠକ ଆକାଶ ପାଠକର ଗୋଟି ଗୋଟି କରି ଗୁମର ଖୋଲିଛି ଡେଭିଡ୍ ପିଟର୍ । ଟାଟା ମୋଟର୍ସ ଏମଡି ଭାବେ ପରିଚୟ ଦେଇ ଡେଭିଡ୍ ପିଟରକୁ ନିଜ ପିଏ କରି ରଖିଥିଲା ଆକାଶ । ଆଉ ରେଡ୍ ପରେ ଜେରାରୁ ମୁଖା ଖୋଲିଯାଇଛି ।

Advertisment

ଏବେ ନଜର ପକାନ୍ତୁ କିଭଳି ଟାଟା ନାଁରେ ମିଛ ନିଯୁକ୍ତିପତ୍ର ଦେଇଥିଲା ଆକାଶ । ପ୍ରଥମେ ମେଲରେ ଆସୁଥିଲା କ୍ୟାଣ୍ଡିଡେଟଙ୍କ ନାଁ । ଏହାପରେ ଆରମ୍ଭ ହେଉଥିଲା ଛାନଭିନର ପ୍ରକ୍ରିୟା । ଭିଡିଓ କଲ୍ ଆପ୍ ଜୁମ୍ ଜରିଆରେ ଚାଲୁଥିଲା ସାକ୍ଷାତକାର । ଇଂଟରଭ୍ୟୁ ବେଳେ ନିଜେ ଆକାଶ ଉପସ୍ଥିତ ବି ରହୁଥିଲେ । ଆଉ ଏହାପରେ ଡେଭିଡ୍ ବି ନେଇଥିଲେ ଆଶାୟୀଙ୍କ ସାକ୍ଷାତକାର । ଫେଜ ପରେ ଫେଜ୍ ଚାଲିଥିଲା ନିଯୁକ୍ତି ପ୍ରକ୍ରିୟା । ଯେଉଁମାନଙ୍କୁ ଚୟନ କରାଯାଉଥିଲା ସେମାନଙ୍କୁ ଅନଲାଇନରେ ଟ୍ରେନିଂ ଦେବାକୁ ଅନଲାଇନରେ ଟ୍ରେନର ବି ଥିଲେ । ହେଲେ ଦିପାବଳୀ ଯୋଗୁଁ କାମ କିଛି ଦିନ ବନ୍ଦ ରହିଲା । ଆଉ ପରେ ଠକ ଆକାଶର ପର୍ଦ୍ଦାଫାଶ ହୋଇଯାଇଥିଲା ।

ବଡ କଥା ହେଉଛି, ନିଯୁକ୍ତି ନେଇ ବିଜ୍ଞାପନ ବି ନିର୍ଦ୍ଦିଷ୍ଟ ଅଂଚଳ ପାଇଁ ଦିଆଯାଉଥିଲା । ସର୍ବେଶ୍ୱର ରାଓ ନାମକ ବ୍ୟକ୍ତିଙ୍କ ଜରିଆରେ ପ୍ରାର୍ଥୀଙ୍କ ଡାଟାବେସ୍ ତିଆରି ହେଉଥିଲା । ଆଉ ଏହାରି ଆଧାରରେ ହିଁ ଆଗକୁ ବଢୁଥିଲା ପ୍ରାର୍ଥୀଙ୍କୁ ଠକିବାର ମସୁଧା । ୨ ଜଣ ମହିଳାଙ୍କୁ ଚାକିରୀ ପାଇଁ ଟଙ୍କା ଦେବାକୁ ଫୋନ ଆସିଥିଲା । ହେଲେ ଆକଶ ଏହି କଥାକୁ ଏମିତି ବୁଲାଇଥିଲେ ଯେ, ଡେଭିଡଙ୍କ ବିଶ୍ୱାସ ଆହୁରି ବଢିଯାଇଥିଲା । ହେଲେ ଏହାପଛରେ ଯେ ସୁଚିନ୍ତିତ ରଣନୀତି ଥିଲା, ତାକୁ ବୁଝିପାରିନଥିଲେ ଡେଭିଡ୍ ।

ପାଖାପାଖି ୯୦ ଜଣଙ୍କୁ ମିଛ ନିଯୁକ୍ତିପତ୍ର ଦିଆଯାଇଥିଲା । ଦେଶର ତିନୋଟି ସ୍ଥାନରେ ଗୁଜୁରାଟ, କର୍ଣ୍ଣାଟକ, ଆଉ ଲକ୍ଷେ୍ଣାରେ ନୂଆ ପ୍ଲାଂଟ ଖୋଲୁଥିବା ଦର୍ଶାଇ ନିଯୁକ୍ତି ଦେବାର ଏହି ପୁରା ଡ୍ରାମା ରଚିଥିଲା ଆକାଶ । ଆଉ ଏବେ କ୍ରାଇମବ୍ରାଂଚ ସାମ୍ନାରେ ଡେଭିଡ୍ ପୁରା ତଥ୍ୟ ରଖିବା ପରେ ଆକଶଙ୍କ ଅଡୁଆ ଅହୁରି ବଢିବ ବୋଲି ଅନୁମାନ କରାଯାଉଛି ।