ଭୋଟ୍ ପେଡ଼ିର ପୁରୁଣା କଥା । ଧନ୍ୟବାଦ ପ୍ରଧାନମନ୍ତ୍ରୀ, ଓଡ଼ିଶାରୁ ଲଢିଥିବାରୁ । 

671

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ପାଞ୍ଚ ବର୍ଷ ଦିଲ୍ଳୀରେ ସଫଳତାର ସହ ସରକାର ଚଳାଇବା ପରେ ଦେଶର ପ୍ରଧାନମନ୍ତ୍ରୀ ପୁନର୍ନିର୍ବାଚନ ପାଇଁ ଓଡ଼ିଶାର କୌଣସି ଏକ ଲୋକସଭା ଆସନକୁ ବାଛିବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶର ସର୍ବୋଚ୍ଚ ନେତାଙ୍କୁ ନିର୍ବାଚିତ କରିବାର ଗୌରବ ଯଦି କୌଣସି ନିର୍ବାଚନ କ୍ଷେତ୍ରକୁ ମିଳେ, ସେ ଫୁଲପୁର ହେଉ, ଆମେଥି, ରାଏବରେଲି ବା ଲକ୍ଷ୍ନୌ । ସଂପୃକ୍ତ ଅଞ୍ଚଳରେ ବିକାଶର ଧାରା ଅଧିକ ତ୍ଵରାନ୍ଵିତ ହୁଏ ଏବଂ ଜନସାଧାରଣଙ୍କୁ ତା’ର ସୁଫଳ ମିଳେ । ବିଶେଷ କରି ଯେତେବେଳେ ସଂପୃକ୍ତ ନେତା ନିଜ ରାଜ୍ୟ ବାହାରେ କୌଣସି ନୂଆ ନିର୍ବାଚନ ମଣ୍ଡଳୀକୁ ବାଛନ୍ତି, ଲୋକଙ୍କ ଭିତରେ ଉତ୍ସାହର ତରଙ୍ଗ ଖେଳିଯାଏ, ଯେମିତି ଘଟିଥିଲା ତେଲେଙ୍ଗାନାର ମେଡକ୍, କର୍ଣ୍ଣାଟକର ଚିକମାଗାଲୁର, ଉତ୍ତରପ୍ରଦେଶର ବାରଣାସୀ ବା ଓଡ଼ିଶାର ବ୍ରହ୍ମପୁରରେ ।

୧୯୯୬ ଲୋକସଭା ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଓଡ଼ିଶାର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ୧୯୯୧ ମସିହାରେ ନିର୍ବାଚନ ପ୍ରଚାର କାଳରେ ମେ ମାସ ୨୧ ତାରିଖ ଦିନ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ନିର୍ବାଚନ ସଭାରେ ଆତ୍ମଘାତୀ ବୋମା ଆକ୍ରମଣର ଶିକାର ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧି ଇହଧାମ ତ୍ୟାଗ କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ ଦଳ କ୍ଷମତାକୁ ଆସିଲା ଏବଂ ପ୍ରଧାନମନ୍ତ୍ରୀ ପଦବୀରେ ରହିଲେ ବର୍ଷୀୟାନ୍ ନେତା ପି.ଭି. ନରସିଂହ ରାଓ ।

ସେତେବେଳେ ଲୋକସଭାର ସଦସ୍ୟ ନଥିବାରୁ ସେ ତତ୍କାଳୀନ ଆନ୍ଧ୍ରପ୍ରଦେଶର ନାନ୍ଦ୍ୟାଲ ନିର୍ବାଚନ ମଣ୍ଡଳିରୁ ଉପନିର୍ବାଚନ ଜିଣି ଲୋକସଭାକୁ ଆସିଲେ । ଏହି ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିଦ୍ଵନ୍ଦ୍ୱୀ ବାଙ୍ଗୁରୁ ଲକ୍ଷ୍ମଣଙ୍କୁ ରେକର୍ଡ଼ ସଂଖ୍ୟକ ୫,୮୦,୨୯୭ ଭୋଟ ବ୍ୟବଧାନରେ ହରାଇଥିଲେ । ଏକ ସଂଖ୍ୟାଲଘୁ ସରକାରର ନେତୃତ୍ଵ ନେଇ ୧୯୯୧ରୁ ୧୯୯୬ ପାଞ୍ଚ ବର୍ଷ ସଫଳତାର ସହିତ ସରକାର ଚଳାଇବା ପରେ ସେ ପୁନର୍ନିର୍ବାଚନ ପାଇଁ ନାନ୍ଦ୍ୟାଲ ସହିତ ଅନ୍ୟ ଏକ ନିର୍ବାଚନ ମଣ୍ଡଳି ଖୋଜୁଥିଲେ । ସେତେବେଳକୁ ୧୯୯୫ ବିଧାନସଭା ନିର୍ବାଚନ ଜିଣି ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ସେ ନରସିଂହ ରାଓଙ୍କୁ ଓଡ଼ିଶାର ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳିରୁ ଲଢ଼ିବା ପାଇଁ ପ୍ରସ୍ତାବ ଦେଲେ ଏବଂ ସୁଖର ବିଷୟ ଯେ ରାଓ ଏହି ପ୍ରସ୍ତାବ ଗ୍ରହଣ କଲେ ।

ସେତେବେଳେ ବ୍ରହ୍ମପୁର ଆସନ କଂଗ୍ରେସ ଦଳର ଏକ ଗଡ଼ ରୂପେ ପରିଗଣିତ ହେଉଥିଲା । ୧୯୭୭ ମସିହାରେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବହୁଥିବାବେଳେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ୧୯୯୧ ନିର୍ବାଚନରେ ଏହି ଆସନରୁ ଜିଣିଥିଲେ କଂଗ୍ରେସ ଦଳର ଗୋପୀନାଥ ଗଜପତି ନାରାୟଣ ଦେବ । ସେ ଜନତା ଦଳର ପ୍ରାର୍ଥୀ ସୂର‌୍ୟ୍ୟନାରାୟଣ ପାତ୍ରଙ୍କୁ ୭୩ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ । ଏଣୁ ୧୯୯୬ରେ ଏହି ଆସନ ଜିଣିବା ପାଇଁ ନରସିଂହ ରାଓଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା । ତାଙ୍କ ବିପକ୍ଷରେ ପ୍ରମୁଖ ପ୍ରତିଦ୍ଵନ୍ଦ୍ୱୀ ଥିଲେ ଜନତା ଦଳ ଟିକେଟରେ ଲଢ଼ୁଥିବା ଖଲ୍ଲିକୋଟର ରାଣୀ ଭି.ସୁଜ୍ଞାନକୁମାରୀ ଦେଓ । ଏହି ନିର୍ବାଚନରେ ମୋଟ ୫,୪୪,୨୩୬ ବୈଧ ଭୋଟ ମଧ୍ୟରୁ ସୁଜ୍ଞାନ କୁମାରୀ ଦେଓ ୧,୭୨,୦୧୮ ଖଣ୍ଡ ଭୋଟ ପାଇଥିବାବେଳେ ନରସିଂହ ରାଓ ୩,୪୦,୫୫୫ ଖଣ୍ଡ (୬୨.୫୭ ପ୍ରତିଶତ) ଭୋଟ ପାଇ ୧.୬୮ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ନାନ୍ଦ୍ୟାଲ ଓ ବ୍ରହ୍ମପୁର ଉଭୟ ଆସନରୁ ଜିଣିଥିଲେ ମଧ୍ୟ ନରସିଂହ ରାଓ ନାନ୍ଦ୍ୟାଲରୁ ଇସ୍ତଫା ଦେଇ ବ୍ରହ୍ମପୁର ଆସନକୁ ରଖିଥିଲେ । ଯଦିଓ ୧୯୯୬ରେ କଂଗ୍ରେସ ପୁଣି ଥରେ ଶାସନ କ୍ଷମତାକୁ ଫେରିନଥିଲା, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାକୁ ଜିତାଇ ଥିବାରୁ ବ୍ରହ୍ମପୁରର ନାମ ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା । ଏଇ ମାଟିକୁ ପ୍ରଣାମ ଜଣାଇ ଏକ ସାଧାରଣ ସଭାରେ ନରସିଂହ ରାଓ କହିଥିଲେ- ‘ବ୍ରହ୍ମପୁରକୁ ମୁଁ ମୋ ପୂର୍ବପୁରୁଷଙ୍କ ଋଣ ଶୁଝିବାକୁ ଆସିଛି। ବୋଧହୁଏ ମୋର ପୂର୍ବପୁରୁଷଗଣ କୌଣସି ନା କୌଣସି ଭାବେ ଏଇ ମାଟିର ଋଣୀ ଥିଲେ। ସେହି ଋଣ ପରିଶୋଧ କରିବାକୁ ଚାହେଁ।’