ଏଏମୟୁର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଗୀତା ଓ ରାମାୟଣ ସହିତ ରହିଛି କୁରାନର ସଂପର୍କ । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେବା ଉପରେ ଗୁରୁତ୍ୱାରୋପ ।

93

କନକ ବ୍ୟୁରୋ : ଅଲୀଗଡ଼ ମୁସଲିମ ବିଶବିଦ୍ୟାଳୟ (ଏଏମୟୁ) ର ଶତବାର୍ଷିକ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉତ୍ସବରେ ଯୋଗ ଦେଇ ସେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ଗଠନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସେବା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଦେଶର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସେବା ମନୋବୃତ୍ତି ରହିଲେ ଦେଶର ବିକାଶ ହୋଇପାରିବ ବୋଲି ସେ ଏହି ସମାରୋହରେ କହିଛନ୍ତି । ଏହା ସହ ଏଏମୟୁ ଦେଶର ଇତିହାସ ସହିତ ଜଡିତ ଥିବା ଏକ ବିଶ୍ୱବିଦ୍ୟାଳୟ ଓ ଏଠାରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଦେଶ ପାଇଁ ସୁନାମ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଠାରୁ ଶିକ୍ଷା ଶେଷ କରି ବିଦେଶରେ ଚାକିରୀ ବା ବାଣିଜ୍ୟ କରୁଥିବା ଅନେକ ଶିକ୍ଷାର୍ଥୀଙ୍କୁ ଭେଟିଥିବା କଥା ମୋଦି କହିଥିଲେ ।

ଏଏମୟୁ ଏକ ମିନି ଇଣ୍ଡିଆ ଭଳି । ଏଠାରେ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ଭାଷାରେ ଶିକ୍ଷାଦାନ କରାଯାଇଥାଏ । ଏଠିକାର ଲାଇବ୍ରେରୀରେ କୁରାନ ସହିତ ଗୀତା ଓ ରାମାୟଣ ମଧ୍ୟ ରହିଥାଏ । ଭାରତର ଶ୍ରେଷ୍ଠ ପ୍ରତିଫଳନ ଏଠାରେ ଦେଖିବାକୁ ମିଳିଥାଏ ବୋଲି ଶିକ୍ଷାର୍ଥୀ ମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ୧୯୬୪ ମସିହାରେ ଏହି ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଉତ୍ସବରେ ଯୋଗ ଦେଇଥିଲେ । ଏହାପରେ ଦୀର୍ଘ ୫୬ ବର୍ଷ ଧରି କୌଣସି ପ୍ରଧାନମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟକୁ ଆସି ନଥିବା ସୂଚନା ରହିଛି ।
ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ମଙ୍ଗଳବାର ପୂର୍ବାହ୍ନ ୧୧ ଟାରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସମ୍ବୋଦ୍ଧିତ କରିଛନ୍ତି । ଏହି ଅବସରରେ ମୋଦି ଏକ ସ୍ୱତନ୍ତ୍ର ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି ।

ସୂଚନା ଥାଉକି ୧୮୭୭ ମସିହାରେ ସାର୍ ସୟଦ ଅହମ୍ମଦ ଖାଁ ଙ୍କ ଦ୍ୱାରା ଏହି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଏହାର ନାମ ଥିଲା ମହମ୍ମଡାନ୍ ଆଂଗ୍ଲୋ ଓରିଏଣ୍ଟାଲ କଲେଜ । ହେଲେ ୧୯୨୦ ରେ ଅଲୀଗଡ ମୁସଲିମ୍ ବିଶ୍ୱ ବିଦ୍ୟାଳୟ ନାମରେ ମାନ୍ୟତା ଲାଭ କରିଥିଲା । ଏହି ବିଶ୍ୱ ବିଦ୍ୟାଳୟ ୪୬୭.୬ ହେକ୍ଟର ଜମି ଉପରେ ନିର୍ମାଣ ହୋଇଛି । ଏହାସହ କେରଳର ମାଲାପୁରମ୍, ପଶ୍ଚିମବଙ୍ଗର ମୁର୍ସିଦାବାଦ୍, ଓ ବିହାରର କିଶନଗଞ୍ଜ ଠାରେ ଏହାର ଅଫ୍ କ୍ୟାମ୍ପସ୍ ରହିଛି ।

୨୦୧୯ ମସିହାରେ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଏନଆରସି ଓ ସିଏଏ ଭଳି କାନୁନକୁ ବିରୋଧ କରି ଏହି ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ପୋଲିସ ଏହି କ୍ୟାମ୍ପସରେ ପଶି ଶିକ୍ଷାର୍ଥୀ ମାନଙ୍କୁ ମାର ଧର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଏହାକୁ ନେଇ କିଛି ଟିପ୍ପଣୀ ରଖି ନଥିଲେ ।