କନକ ବ୍ୟୁରୋ: ମୃତ୍ୟୁର ପଞ୍ଝାରୁ ଫେରିଥିବା ଆହତଙ୍କ ଆର୍ତ୍ତ ଚିତ୍କାରରେ ଫାଟି ପଡୁଥିଲା ଦିଗପହଣ୍ଡି ମେଡିକାଲ । ପ୍ରିୟଜନଙ୍କ କରୁଣ କାନ୍ଦ, ମୃତ୍ୟୁ ସହ ଲଢେଇ କରୁଥିବା ମଣିଷର ବୁକୁଫଟା ବେଦନା ଆଉ ଡାକ୍ତରଙ୍କ ଅଭାବ ପାଇଁ ଅସନ୍ତୋଷର ତାତିରେ ତାବଦା ହେଉଥିଲା ମେଡିକାଲର କାନ । ଆଉ ଠିକ ଏତିକି ବେଳେ ଭିଡ ଭିତରେ ହାଜର ହୋଇଥିଲେ ମେଡିକାଲର ଫାର୍ମାସିଷ୍ଟ । ଯମ ସହ ଯୁଦ୍ଧ କରୁଥିବା ଜୀବନମାନଙ୍କ ମୁହଁରେ ଦେଇଥିଲେ ଅମୃତର ବୁନ୍ଦା ।
ପି. କାମରାଜୁ । ତପ୍ତପାଣି ଛାତିଥରା କାହାଣୀର ରିଅଲ ହିରୋ । ବୋଧେ ଇଏ ନଥିଲେ ମୃତ୍ୟୁର ଫାଶରେ ଫଶିଥିବେ ଜୀବନକୁ ଘୋଷାଡି ଘୋଷାଡି ନେଇଯାଇଥାନ୍ତା ଯମ । ହେଲେ ଏକାଏକା ଲଢି ମୃତ୍ୟୁକୁ ତଡିପାର କରିଥିଲେ ଆହତଙ୍କ ଆଖିରେ ୨ୟ ଭଗବାନ ସାଜିଥିବା ଏହି ଫାର୍ମାସିଷ୍ଟ ।
ସବୁଠାରୁ ବଡକଥା ହେଉଛି ପି. କାମରାଜୁ ନିଜ ପୁଅ ବାହାଘର ପାଇଁ ଆଜି ଛୁଟିରେ ଥିଲେ । ହେଲେ ସେବା ଆଉ ଯନ୍ତ୍ରଣାରେ ଜର୍ଜରିତ ଜୀବନର ଡାକ ଆଗରେ ନିଜକୁ ଅଟକାଇ ପାରିନଥିଲେ । ଆଉ ଛୁଟି ପଛ କରି ମେଡିକାଲକୁ ଛୁଟି ଆସିଥିଲେ । ତେବେ ସେ ଥାଉ ଥାଉ କୌଣସି ବି ଗୋଟିଏ ଜୀବନ ଯେମିତି ନଯାଏ ସେହି ପଣ ଆଉ କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ପାଇଁ ସେ ସାଧାରଣ ଭିତରେ ଅସାଧାରଣ ପାଲଟିଛନ୍ତି ।