ବଢିଲା କଂଗ୍ରେସ କଳି : କପିଲ୍ ଶିବଲଙ୍କ ପରେ ବିହାର ପରାଜୟ ପରେ କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କଲେ ପି ଚିଦାମ୍ବରମ

ଅଧିର କହିଲେ ଯେଉଁମାନେ ଅସନ୍ତୁଷ୍ଟ, ଦଳ ଛାଡି ଚାଲିଯାଆନ୍ତୁ

290

କନକ ବ୍ୟୁରୋ : ବିହାର ପରାଜୟ ପରେ କଂଗ୍ରେସ କଳି ବଢିବାରେ ଲାଗିଛି । ଦଳର ବରିଷ୍ଠ ନେତା କପିଲ ଶିବଲଙ୍କ ପରେ ପି ଚିଦାମ୍ବରମ ଦଳର ନେତୃତ୍ୱକୁ ପୁଣି ଟାର୍ଗେଟ କରିଛନ୍ତି । ଦଳର ବରିଷ୍ଠ ନେତା ପି .ଚିଦାମ୍ବରମ କହିଛନ୍ତି, ନିକଟରେ ସରିଥିବା ନିର୍ବାଚନ ଫଳାଫଳରୁ ଦଳର ଭିତିଭୂମି ଓ ତୃଣମୂଳସ୍ତରର ସଙ୍ଗଠନ ଦୁର୍ବଳ ହୋଇପଡିଥିବା ସ୍ପଷ୍ଟ ହୋଇଛି । ବିହାରରେ ମେଂଟ କଣ ପାଇଁ ହାରିଲା ସେ ନେଇ ସମୀକ୍ଷା ହେବା ଦରକାର ବୋଲି କହିଛନ୍ତି ।

କିଛି ବର୍ଷ ତଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଦଳ ଭଲ ପ୍ରଦର୍ଶନ କରିଥିଲେ କରିଥିଲେ ବି ଏବେ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି , ସେ ନେଇ ତର୍ଜମା କରାଯିବା ଦରକାର ବୋଲି କହିଛନ୍ତି ପି.ଚିଦାମ୍ବରମ । ଏଭଳି କହି ସେ କପିଲ ଶିବଲଙ୍କୁ ସମର୍ଥନ କରୁଥିବା ଆଲୋଚନା ହେଉଛି । କପିଲ ଶିବଲ କହିଥିଲେ, କଂଗ୍ରେସ ସଂପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଲୋକଙ୍କ ପସନ୍ଦ ହରାଇଛି । ଏ ନେଇ ପରୋକ୍ଷରେ ସେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ।

ସେପଟେ ଯେଉଁମାନେ ଦଳୀୟ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇଛନ୍ତି ସେମାନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି , ଯେଉଁମାନେ ଏଭଳି କରୁଛନ୍ତି ସେମାନେ ଦଳ ଛାଡି ଚାଲିଯାଆନ୍ତୁ କିମ୍ବା ନିଜସ୍ୱ ଦଳ ଗଢନ୍ତୁ । ଦଳ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ନେତା ସୋନିଆ ଓ ରାହୁଲଙ୍କ ନିକଟତର ଥିଲେ । ଯଦି ଏବେ ସେମାନେ ଏଭଳି ଭାବୁଛନ୍ତି ତେବେ ସେମାନେ ନିଜ ରାସ୍ତା ବାଛିପାରନ୍ତି ।