ବଢିଲା କଂଗ୍ରେସ କଳି : କପିଲ୍ ଶିବଲଙ୍କ ପରେ ବିହାର ପରାଜୟ ପରେ କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କଲେ ପି ଚିଦାମ୍ବରମ

165

କନକ ବ୍ୟୁରୋ : ପଦାରେ ପଡିଲା କଂଗ୍ରେସର ଅନ୍ତରୀଣ କନ୍ଦଳ । ବିହାର ପରାଜୟ ପରେ କଂଗ୍ରେସର କଳି ବଢିବାରେ ଲାଗିଛି । ବରିଷ୍ଠ ନେତାଙ୍କ ଆରୋପ ପ୍ରତ୍ୟାରୋପ ରାଜନୀତି ଉଷ୍ମ ହେଉଛି । ଦଳର ବରିଷ୍ଠ ନେତା କପିଲ ଶିବଲଙ୍କ ପରେ ପି ଚିଦାମ୍ବରମ ଦଳର ନେତୃତ୍ୱକୁ ପୁଣି ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ।

ଦଳର ବରିଷ୍ଠ ନେତା ପି .ଚିଦାମ୍ବରମ କହିଛନ୍ତି, ନିକଟରେ ସରିଥିବା ନିର୍ବାଚନ ଫଳାଫଳରୁ ଦଳର ଭିତ୍ତିଭୂମି ଓ ତୃଣମୂଳସ୍ତରର ସଙ୍ଗଠନ ଦୁର୍ବଳ ହୋଇପଡିଥିବା ସ୍ପଷ୍ଟ ହୋଇଛି । ବିହାରରେ ମେଂଟ କ’ଣ ପାଇଁ ହାରିଲା ସେ ନେଇ ସମୀକ୍ଷା ହେବା ଆବଶ୍ୟକ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଦଳ ଭଲ ପ୍ରଦର୍ଶନ କରିଥିଲେ ବି ଏବେ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି, ତାର ତର୍ଜମା କରାଯିବା ଦରକାର ବୋଲି କହିଛନ୍ତି ପି.ଚିଦାମ୍ବରମ ।

ଏଭଳି କହି ସେ କପିଲ ଶିବଲଙ୍କୁ ସମର୍ଥନ କରୁଥିବା ଆଲୋଚନା ହେଉଛି । କପିଲ ଶିବଲ କହିଥିଲେ, କଂଗ୍ରେସ ଦଳ ସଂପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଲୋକଙ୍କ ପସନ୍ଦ ହରାଇଛି । ଏ ନେଇ ପରୋକ୍ଷରେ ସେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ।
ସେପଟେ ଯେଉଁମାନେ ଦଳୀୟ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇଛନ୍ତି ସେମାନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା । ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ଯେଉଁମାନେ ଏଭଳି କରୁଛନ୍ତି ସେମାନେ ଦଳ ଛାଡି ଚାଲିଯାଆନ୍ତୁ କିମ୍ବା ନିଜସ୍ୱ ଦଳ ଗଢନ୍ତୁ । ଦଳ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ନେତା ସୋନିଆ ଓ ରାହୁଲଙ୍କ ନିକଟତର ଥିଲେ । ଯଦି ଏବେ ସେମାନେ ଏଭଳି ଭାବୁଛନ୍ତି ତେବେ ସେମାନେ ନିଜ ରାସ୍ତା ବାଛିପାରନ୍ତି । ଏବଂ କଥାରୁ ନୁହେଁ ବରିଷ୍ଠ ନେତା ମାନେ କାମରେ କରି ଦେଖାନ୍ତୁ ବୋଲି କହିଛନ୍ତି ଅଧିର ରଂଜନ ।

ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନରେ କଂଗ୍ରେସ ଲଢୁଥିବା ୭୦ଟି ଆସନରୁ ମାତ୍ର ୧୯ଟି ଆସନରେ ବିଜୟୀ ହୋଇଥିଲା । ଏହା ସହ ଅନ୍ୟ ରାଜ୍ୟ ହୋଇଥିବା ଉପନିର୍ବାଚନରେ ମଧ୍ୟ କଂଗ୍ରେସ ବିଫଳ ରହିଛି । ଏପରି ସ୍ଥିତିରେ ଦଳୀୟ କନ୍ଦଳ ଏବେ ପଦାରେ ପଡିବାକୁ ଲାଗିଛି ।