କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳଫଳ ଆସିବା ପରେ ଏହାକୁ ନେଇ ରାଜନୈତିକ ସମୀକ୍ଷକମାନେ ମନ୍ଥନ କରୁଛନ୍ତି । ଗୋଟିଏ ପଟେ ଗୁଜରାଟରେ କଂଗ୍ରେସ ଖରାପ ପ୍ରଦର୍ଶନ ଓ ହିମାଚଳରେ ଭଲ ପ୍ରଦର୍ଶନ କରିଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ବିଜେପି ଗୁଜରାଟ, ହିମାଚଳ ଓ ଦିଲ୍ଲୀ ଏମସିଡିରେ କ୍ଷମତାରେ ଥିଲା । ହେଲେ ଚଳିତ ନିର୍ବାଚନ ପରେ ସେ ଦୁଇଟି ସ୍ଥାନରୁ କ୍ଷମତା ହରାଇଛି । ହେଲେ ଗୁଜରାଟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଆମ୍ ଆଦମୀ ପାର୍ଟି ଦାୟୀ ବୋଲି ଚିଦାମ୍ବରମ୍ ଅଭିଯୋଗ ଆଣିଛନ୍ତି । ଏହା ସହ ଏହା ପୂର୍ବରୁ ଗୋଆ ଓ ଝାଡଖଣ୍ଡରେ କଂଗ୍ରେସ ହାରିବା ପଛରେ ଆପ୍, ର ହାତ ଥିବା କଥା ସେ କହିଛନ୍ତି ।
ଚିଦାମ୍ବରମ କହିଛନ୍ତି ଯେ ୨୦୨୪ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ପାଇଁ ହିମାଚଳ ବିଜୟ ଏକ ମୁଦ୍ଦା ହୋଇପାରିବ । ସେ କହିଛନ୍ତି ଏବେ ସାରା ଦେଶରେ ଅଣ ବିଜେପି ଦଳମାନଙ୍କୁ ନେଇ କଂଗ୍ରେସ ଏକ ମେଣ୍ଟ ପ୍ରସ୍ତୁତ କରିପାରିବ । ସେପଟେ ଗୁଜରାଟରେ ଦଳର ପରାଜୟ ନେଇ ସେ ଆମ୍ ଆଦମୀ ପାର୍ଟି ଉପରେ ଦୋଷ ଲଦୁଥିଲେ ବି କଂଗ୍ରେସର ରଣନୀତି ଠିକ୍ ନଥିବା କଥା ଖୋଲାଖୁଲି କହିଛନ୍ତି ।
ସେପଟେ ସେ କହିଛନ୍ତି କି ହିମାଚଳ ଓ ଦିଲ୍ଲୀ ନଗରନିଗମରେ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା କଥା ସ୍ପଷ୍ଟ ହୋଇଛି । ହେଲେ ଏହି ସମୟରେ କଂଗ୍ରେସ ନିଜକୁ ସଂଗଠିତ କରି ପୁଣି ଲୋକଙ୍କ ପ୍ରିୟଭାଜନ ହେବାକୁ ଯୋଜନା ପ୍ରସ୍ତୁତ କଲେ ୨୦୨୪ ରେ କ୍ଷମତାକୁ ଫେରିବା ଆଶା କରାଯାଇପାରିବ ।