ଆଇଏନଏକ୍ସ ଦୁର୍ନୀତି ମାମଲା: ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କ ନାମରେ ଚାର୍ଜସିତ ଦାଖଲ କଲା ସିବିଆଇ, ୨୧ ରେ ପରବର୍ତୀ ଶୁଣାଣି

179

କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ସିବିଆଇ ଏହି ଚାର୍ଜସିଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୪ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଏହି ମାମଲାରେ ଦିଲ୍ଲୀ କୋର୍ଟରେ ଅକ୍ଟୋବର ୨୧ରେ ଶୁଣାଣି ହେବ । ସିବିଆଇ ଚାର୍ଜସିଟରେ ପିଟର ମୁଖାର୍ଜି, କାର୍ତି ଚିଦାମ୍ବରମ, ପି ଚିଦାମ୍ବରମ ଏବଂ ଅର୍ଥ ମନ୍ତ୍ରଣାଳୟର ୪ଜଣ ପୂର୍ବତନ ଅଧିକାରୀଙ୍କ ନାଁ ମଧ୍ୟ ରହିଛି । ୨୦୦୭ରେ ପି. ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା । ବେଆଇନ ଭାବେ ଆଇଏନଏକ୍ସ ମିଡିଆ ବଡଧରଣର ବିଦେଶୀ ପୁଞ୍ଜି ନିବେଶ କରିଥିଲେ ସୁଦ୍ଧା ଅର୍ଥ ମନ୍ତ୍ରାଳୟ ତଦନ୍ତ ନିର୍ଦ୍ଦେଶ ଦେଇନଥିଲା । ବରଂ ଡାଉନ୍ଷ୍ଟ୍ରିମ ଇନଭେଷ୍ଟମେଂଟ ପାଇଁ ସାନି ଆବେଦନ କରି ୩୦୫ କୋଟି ଟଙ୍କାର ବେଆଇନ ନିବେଶକୁ ଆଇନସିଦ୍ଧ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ନିଜ ଝିଅ ସିନା ବୋରା ହତ୍ୟା ମାମଲାରେ ଜେଲରେ ଅଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସେ ସାକ୍ଷୀ ପାଲଟିଛନ୍ତି ।

P Chidambaramସେପଟେ ଏହି ମାମଲାରେ ଗିରଫ ହୋଇ ୪୩ ଦିନ ହେଲା ଜେଲରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଆଉ ଏହି ୪୩ ଦିନରେ ୫ କେଜି ଓଜନ ହରାଇଥିବା କୋର୍ଟଙ୍କୁ ଜଣାଇଛନ୍ତି ତାଙ୍କ ଓକିଲ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପୁଣିଥରେ ଜାମିନ ଆବେଦନ କରି ଚିଦାମ୍ବରମଙ୍କ ଓକିଲ ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ଜାମିନ ପ୍ରଦାନ କରାଯାଉ । ଏହାରି ଭିତରେ ତାଙ୍କୁ ଦୁଇଥର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାକୁ ପଡିଛି । ଥରେ ୫ଦିନ ଓ ପୁଣିଥରେ ୭ଦିନ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ ଚିଦାମ୍ବରମ । ତେଣୁ ଆଂଟିବାୟୋଟିକ ଦେବାକୁ ପଡୁଛି । ଶୀତ ବଢୁଥିବାରୁ ଏହି ୭୪ ବର୍ଷୀୟ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିଯାବା ଆଶଙ୍କା ରହିଛି ।

ଶିବଲ କହିଥିଲେ, ଜାମିନ ମିଳିଲେ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଭ୍ରମାତ୍ମକ । ଯାହାକୁ ପ୍ରବଳ ବିରୋଧ କରିଥିଲେ ସିବିଆଇ ପକ୍ଷରୁ ମାମଲା ଲଢୁଥିବା ସିଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ, ଦୁର୍ନୀତି ବିରୋଧରେ ଦେଶର ଜିରୋ ଟଲରାନ୍ସ ରହିବା ଉଚିତ୍ ଏବଂ ନ୍ୟାୟାଳୟ ହିଁ ଏହାକୁ ନିଶ୍ଚିତ କରିପାରିବେ । ତେଣୁ ଚିଦାମ୍ବରମଙ୍କ ଜାମିନକୁ ସେ ପ୍ରବଳ ବିରୋଧ କରିଥିଲେ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୨୧ ତାରିଖରୁ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ପି. ଚିଦାମ୍ବରମ ।