ଦିନେ ଜୀବନ ଜିଇଁବାକୁ ୧୦ ଟଙ୍କା ପାଇଁ କରୁଥିଲେ ଦିନ ମଜୁରିଆ କାମ । ଆଜି ୨୦୦୦ କୋଟି ଟଙ୍କାର ମାଲିକ, ଦେଖନ୍ତୁ ମୁସ୍ତଫାଙ୍କ ପ୍ରେରଣାଦାୟୀ କାହାଣୀ ।

548

କନକ ବ୍ୟୁରୋ : କୁଲି ବାପାର କୋଟିପତି ପୁଅ । ଦିନେ ସେ ଦିନକୁ ୧୦ଟଙ୍କା ମଜୁରୀରେ କାମ କରୁଥିଲେ ଆଉ ଏବେ ଛିଡା କରିଛନ୍ତି ୨୦୦୦ କୋଟି ଟଙ୍କାର କମ୍ପାନୀ । ଆଜି ଆମେ ଆପଣଙ୍କୁ ସେମିତି ଜଣେ ସଫଳ ବ୍ୟକ୍ତିତ୍ୱଙ୍କ ସହ ପରିଚୟ କରାଇବୁ, ଯିଏ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏ କାହାଣୀ ହେଉଛି କେରଳର ମୁସ୍ତଫା ପିସିଙ୍କର ।

ମୁସ୍ତଫା ହେଉଛନ୍ତି ଜଣେ ସଫଳ ଉଦ୍ୟୋଗୀ । ଯିଏକି ଜଣେ ଫୁଡ୍ କମ୍ପାନୀ ଚଳାଉଛନ୍ତି, ଯାହାର ନାଁ ହେଉଛି ଆଇଡି ଫ୍ରେସ୍ ଫୁଡ୍ । ଏହି କମ୍ପାନୀରେ ଇଡଲି ଏବଂ ଦୋସା ବନାଇବାର ବ୍ୟାଟର ପ୍ରସ୍ତୁତ କରାଯାଏ । ମାତ୍ର ୫୦ହଜାର ଟଙ୍କାରେ ଆରମ୍ଭ କରିଥିବା ଏହି ବ୍ୟବସାୟକୁ ଏବେ ୨୦୦୦ କୋଟି ଟଙ୍କାର କମ୍ପାନୀ ବନେଇପାରିଛନ୍ତି ମୁସ୍ତଫା । ତେବେ ସଫଳତା ପୂର୍ବରୁ ତାଙ୍କ ସଂଘର୍ଷର କାହାଣୀ ଜାଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ ।

ଗରିବ ଘରେ ଜନ୍ମ ହୋଇଥିବା ମୁସ୍ତଫାଙ୍କ ବାପା ଜଣେ ଦିନ ମଜୁରିଆ । ପିଲାଟି ବେଳୁ ଅଭାବ ଅନଟନର ଅନ୍ଧାର ଭିତରେ ବଢିଆସିଛନ୍ତି ମୁସ୍ତଫା । ତେବେ ଦଇବ ଏମିତି ଦାଉ ସାଧିଥିଲା ଯେ, ଓଳିଏ ଖାଇଲେ ଆର ଓଳିକୁ ଓପାସ ରହିବାକୁ ପଡୁଥିଲା । ଏପରିକି ଷଷ୍ଠ ଶ୍ରେଣୀରେ ଫେଲ୍ ହେବା ପରେ ମୁସ୍ତଫା ପାଠ ପଢିବା ମଧ୍ୟ ଛାଡିଦେଇଥିଲେ । ଏବଂ ବାପାଙ୍କ ସହ ମିଶି ଚାଷ କାମ କରୁଥିଲେ । କିନ୍ତୁ ଜଣେ ଶିକ୍ଷକଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ପୁଣି ପାଠ ପଢିଥିଲେ ।

ଅନେକ ସଂଘର୍ଷର ସାମ୍ନା କରି ଆଜି ବଡ଼ ସଫଳତା ପାଇଛନ୍ତି ମୁସ୍ତଫା । ମୁସ୍ତଫାଙ୍କୁ ଏବେ ଦେଶର ବ୍ରେକଫାଷ୍ଟ କିଙ୍ଗ ବୋଲି କୁହାଯାଉଛି । ତେବେ ୨୦୧୫-୧୬ରେ, ତାଙ୍କ କମ୍ପାନୀର ବାର୍ଷିକ କାରବାର ୧୦୦ କୋଟି ଟଙ୍କା ଥିବାବେଳେ ୨୦୨୧ରେ ଏଥିରେ ବୃଦ୍ଧିହୋଇ ୨୯୪ କୋଟିରେ ପହଂଚିଛି । ଆଉ ଆଜିର ଦିନରେ କମ୍ପାନୀର ମୋଟ୍ ଭାଲ୍ୟୁ ୨୦୦୦ କୋଟି ଟଙ୍କା ଅଟେ ।

ଆଜି କୋଟି କୋଟି ଯୁବକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ମୁସ୍ତଫା । ସିଏ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ, ଯଦି ଆପଣଙ୍କ ଭିତରେ ଦୃଢ ଇଚ୍ଛା ଶକ୍ତି ଏବଂ ଗଭୀର ଆତ୍ମବିଶ୍ୱାସ ରହିଛି, ତେବେ ଦୁନିଆର କେଉଁ କାମ ବି ଆପଣଙ୍କ ପାଇଁ କଷ୍ଟ ହେବ ନାହିଁ । ଆଉ ସଫଳତା ପାଖରେ ଆପଣ ନିଶ୍ଚୟ ପହଞ୍ଚିପାରିବେ ।