କନକ ବ୍ୟୁରୋ: କିଛି ବନ୍ଧୁ ବୁଲିବାକୁ ଯାଇଥିଲେ । ବୁଲିଯିବା ସ୍ଥାନରେ ରହିବା ପାଇଁ ଓୟୋରେ ବୁକ୍ କରିଥିଲେ ହୋଟେଲ ରୁମ୍ । ସେଠାରେ ପହଞ୍ଚି ବୁଲାବୁଲି କରି ହୋଟେଲ ଠିକଣାରେ ପହଞ୍ଚିବା ବେଳକୁ ଯାହା ଘଟିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଘଟଣା ଥିଲା ଏପରି...
ରାତିରେ ରହିବା ପାଇଁ ଓୟୋରେ ରୁମ୍ ବୁକ୍ କରିଥିଲେ ୯ଜଣ ସାଙ୍ଗ। ଦିନ ସାରା ବୁଲି ରାତିରେ ବିଶ୍ରାମ କରିବା ପାଇଁ ହୋଟେଲରେ ପହଞ୍ଚିଲେ। ଓୟୋରେ ଦିଆଯାଇଥିବା ଠିକଣା ଦେଖି ୯ଜଣ ସାଙ୍ଗ ସେଠାରେ ପହଞ୍ଚିବା ବେଳକୁ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଓୟୋ ଦେଇଥିବା ଠିକଣାରେ କୌଣସି ହୋଟେଲ ନଥିଲା, ଥିଲା କେବଳ ଜଙ୍ଗଲ।
୯ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଅଭିଶାନ୍ତ ପନ୍ତ ନାମକ ଜଣେ ଯୁବକ ଏହି ଘଟଣା ବିଷୟରେ ଜଣାଇଛନ୍ତି। ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟ ଅନୁଯାୟୀ ଅଭିଶାନ୍ତ ପନ୍ତ ପୁଡୁଚେରୀରେ ଓୟୋ ୭୪୬୧୨ ରୟାଲ ପ୍ଲାଜା ବୋର୍ଡିଂ ଆଣ୍ଡ ଲଜିଂ ବୁକ୍ କରିଥିଲେ। ବୁଲାବୁଲି ସାରି ଦିଆଯାଇଥିବା ଠିକଣାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ କୌଣସି ହୋଟେଲ ମିଳିନଥିଲା। ରାତି ୧୧ଟା ପର୍ୟ୍ୟନ୍ତ ସେଠାରେ ପହଞ୍ଚିବା ପରେ ସେଭଳି କୌଣସି ହୋଟେଲ ସେ ଅଞ୍ଚଳରେ ନାହିଁ ବୋଲି କହିଥିଲେ ସ୍ଥାନୀୟ ଲୋକେ।
ସବୁଠାରୁ ବଡ଼ କଥା ହେଲା ଗୁଗଲ ରିଭ୍ୟୁରେ ବର୍ଷେ ହେଲାଣି ଏହି ହୋଟେଲ ନଥିବା କଥା କୁହାଯାଇଥିଲେ ବି ଓୟୋ ଏହି ହୋଟେଲକୁ ନିଜ ତାଲିକାରେ ଏପର୍ୟ୍ୟନ୍ତ ଯୋଡ଼ି ରଖିଛି। ହୋଟେଲ ନଥିବା ଜାଣି ଅଭିଶାନ୍ତ ଓୟୋର କଷ୍ଟମର କେୟାର ନମ୍ବରକୁ କଲ କରିଥିଲେ ବି ବର୍ତ୍ତମାନ ଆମେ କିଛି ସାହାଯ୍ୟ କରିପାରିବୁ ନାହିଁ ବୋଲି କହିଥିଲେ ଓୟୋ କର୍ମଚାରୀ। ଏହା ପରେ ଅଭିଶାନ୍ତ ଏବଂ ତାଙ୍କ ବନ୍ଧୁଙ୍କୁ ରାତି ୧୨ଟାରେ ଅନ୍ୟ ସ୍ଥାନରେ ହୋଟେଲ ଖୋଜିବାକୁ ପଡ଼ିଥିଲା। ବିଳମ୍ବିତ ରାତି ପର୍ୟ୍ୟନ୍ତ ଏଭଳି ସମସ୍ୟା ଭୋଗିଥିବାରୁ ଆଗକୁ ଓୟୋ ରୁମ୍ ବୁକ କରିବେ ନାହିଁ ବୋଲି କହିଛନ୍ତି ଅଭିଶାନ୍ତ।
ଅଭିଶାନ୍ତ ପନ୍ତ ଏ ବାବଦରେ ସୋସିଆଲ ମିଡିଆରେ ଜଣାଇବା ସହ ଓୟୋ ତାଙ୍କୁ ସାଂଘାତିକ ଭାବେ ଠକିଛି ବୋଲି କହିଛନ୍ତି । ଜୀବନ ଥିବାଯାଏଁ ଆଉ କେବେବି ଓୟୋରେ ହୋଟେଲ ବୁକ୍ କରିବେ ନାହିଁ ବୋଲି ମଧ୍ୟ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅଭିଶାନ୍ତ ।