ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଆ ପୁଅ ତଥା ଓୟୋ ମୁଖ୍ୟ ରିତେଶ ଅଗ୍ରୱାଲ । ହୋଟେଲ ଓ ହଷ୍ଟେଲରେ ପୁଞ୍ଜିନିବେଶକୁ ଗୁରୁତ୍ୱ, ଓଡିଶାରେ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ।

524

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓୟୋ ମୁଖ୍ୟ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓୟୋ ମୁଖ୍ୟ ତଥା ଓଡିଆ ପୁଅ ରିତେଶ ଅଗ୍ରୱାଲ । ଗତ କିଛିବର୍ଷ ହେବ ଓଡିଶାରେ ଓୟୋ ଭଲ ବ୍ୟବସାୟ କରିଛି । ଆଗକୁ ମେକ୍ ଇନ ଓଡିଶା ସହ ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରାଯିବ ବୋଲି କହିଛନ୍ତି ରିତେଶ ।

ଏବେ ଓଡିଶାରେ ୭,୫୦୦ଟି ଓୟୋ ରୁମ ସକ୍ରିୟ ରହିଛି । ଆଗକୁ ହୋଟେଲ, ହଷ୍ଟେଲ ଓ ରୁମ ଉପରେ ଅଧିକ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯିବ । ଗତବର୍ଷ ଓୟୋରେ ୫ ହଜାର ଚାକିରି ସୃଷ୍ଟି କରାଯାଇଛି । ଆଗକୁ ଆହୁରି ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡିଶାରେ ଏବେ ହଜାର ହଜାର ଓୟୋ ଗ୍ରାହକ ରହିଛି । ସେମାନଙ୍କୁ କମ୍ପାନି ପକ୍ଷରୁ ସନ୍ତୋଷଜନକ ସେବା ଯୋଗାଇ ଦିଆଯାଉଛି ।

ଆଗକୁ ପୁରୀ ଐତିହ୍ୟ ନଗରୀ ହେବାକୁ ଯାଉଛି । ଏବେ ପୁରୀ ଉପରେ ରାଜ୍ୟ ସରକାର ପୂରା ଫୋକସ ରଖିଛନ୍ତି । ଯେହେତୁ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ପୁରୀକୁ ଛୁଟି କଟାଇବାକୁ ଆସୁଛନ୍ତି ତେଣୁ ଆଗକୁ ପୁରୀରେ ପୁଞ୍ଜିନିବେଶ କରିବାକୁ ଅନେକ ସୁଯୋଗ ରହିଛି । ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି ରିତେଶ । ଯୁବଗୋଷ୍ଠୀଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ରିତେଶ ।