କନକ ବ୍ୟୁରୋ: ମହାମାରୀ କରୋନା ଯୋଗୁଁ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଗୁରୁବାର ଦିନ ବି ୨୫ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଅମ୍ଳଜାନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ପ୍ରତ୍ୟକ ଦିନ ୨ଶହରୁ ଅଢ଼େଇ ଶହ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଏସବୁ ଭିତରେ ବିଭିନ୍ନ ହସ୍ପିଟାଲରେ ବେଡ୍ ଅଭାବ ସହ ଅମ୍ଳଜାନର ଅଭାବ ଦେଖାଦେଇଛି । ପରିସ୍ଥିତି ଏମିତି ହୋଇଛି ଯେ ଏକାଧିକ ହସ୍ପିଟାଲ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ସଂଘର୍ଷ କରୁଛନ୍ତି । ଏପରିକି କେତେକ ହସ୍ପିଟାଲରେ ମାତ୍ର ଅଳ୍ପ କିଛି ଅମ୍ଳଜାନ ଗଚ୍ଛିତ ରହିଛି । କର୍ତୁପକ୍ଷଙ୍କ କହିବା ଅନୁସାରେ ଅକ୍ସିଜେନ ଯୋଗାଇ ନଦେଲେ ମାତ୍ର କିଛି ଘଂଟାରେ ସେମାନଙ୍କ ନିକଟରେ ଥିବା ଅମ୍ଳଜାନ ଶେଷ ହୋଇଯିବ ।
ସୂଚନା ଅନୁସାରେ ରୋହିଣୀ ଅଂଚଳରେ ଥିବା ସରୋଜ ହସ୍ପିଟାଲରେ ଆଉ ମାତ୍ର କିଛି ଘଂଟାରେ ଅମ୍ଳଜାନ ଶେଷ ହୋଇଯିବ । ଯେଉଁ ଭେଣ୍ଡର ଅମ୍ଳଜାନ ଯୋଗାଇଥାଏ, ସେ ବୁଧବାର ରାତିରୁ ଫୋନ ଉଠାଉନାହିଁ । ଏହି ହସ୍ପିଟାଲରେ ଦୈନିକ ୨୭୦୦ କ୍ୟୁବିକ୍ ମିଟର ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଏଠାରେ ୧୩୦ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ମଧ୍ୟ ଅମ୍ଲଜାନର ଆବଶ୍ୟକତା ରହିଛି । ଏଠାରେ ଦୈନିକ ୫ ରୁ ୬ଟନ୍ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଏଠାରେ ପାଖାପାଖି ୯ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ସାର ଗଙ୍ଗାରାମ ହସ୍ପିଟାଲରେ ମାତ୍ର ୮ହଜାର ୮ଶହ କ୍ୟୁବିକ୍ ମିଟର ଅମ୍ଳଜାନ ରହିଛି । ଯାହାକି ଶୁକ୍ରବାର ଶେଷ ହୋଇଯିବ ।
କେବଳ ଏହି କେତୋଟି ହସ୍ପିଟାଲ ନୁହେଁ ଦିଲ୍ଲୀର ଏକାଧିକ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି । କୁହାଯାଉଛି ସଂକ୍ରମଣ ବଢ଼ିବା ଯୋଗୁଁ ଦିଲ୍ଲୀରେ ପୂର୍ବ ଅପେକ୍ଷା ପ୍ରାୟ ୬ଶହ ଗୁଣ ଅମ୍ଳଜାନ ଚାହିଦା ବଢ଼ି ଯାଇଛି । ଅନ୍ୟପଟେ ଅମ୍ଳଜାନ ଓ ବେଡ ଅଭାବରେ ସଂକ୍ରମିତ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହାରି ଭିତରେ ଓଡିଶାରୁ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ କୋଟାର ଅକ୍ସିଜେନ ଯୋଗାଣରେ ସହାୟତା କରିଥିବାରୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନରେ କଥା ହୋଇଥିଲେ । ଦିଲ୍ଲୀକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅନୁସାରେ ଦିଲ୍ଲୀ କୋଟାର ଆକ୍ସିଜେନ ଓଡିଶାରୁ ବିମାନ ଯୋଗେ ଦିଲ୍ଲୀ ପଠାଯାଉଛି । କେବଳ ଦିଲ୍ଲୀ ନୁହେଁ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ମଧ୍ୟ ଅମ୍ଲଜାନ ଅଭାବ ନେଇ ଖବର ଆସିଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଆକ୍ରାନ୍ତ ଅଧିକ ଅଣନିଶ୍ୱାସୀ ହେବା ଭଳି ସମସ୍ୟା ଦେଖାଦେଉଛି ।