ଉପରମୁହାଁ ସଂକ୍ରମଣ ଭିତରେ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢାଇଲାଣି ହସ୍ପିଟାଲରେ ବେଡ୍ ଅଭାବ । କେନ୍ଦ୍ର ସରକାରଙ୍କ ସହାୟତା ମାଗିଲେ କେଜ୍ରିୱାଲ । ସେପଟେ ଅକ୍ସିଜେନ୍ ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ଉଦ୍ଧବ ଠାକରେ ।

103

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣରେ ଏବେ ଯେଉଁ କେତୋଟି ରାଜ୍ୟ ଆଗରେ ଅଛନ୍ତି ତା ମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ର ଅଛନ୍ତି ଆଗରେ । ଦିଲ୍ଲୀରେ ଦୈନିକ ସଂକ୍ରମିତ ୨୪ ହଜାରରେ ପହଁଚିବା ପରେ ବଢିଯାଇଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିନ୍ତା । ସେପଟେ ଅକ୍ସିଜେନ ଓ ବେଡ୍ ସଂଖ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ମାଗିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି , ଆଗାମୀ କିଛି ଦିନ ସ୍ଥିତି ଉପରେ ନଜର ରଖାଯିବ । ଆଗକୁ ଦିଲ୍ଲୀ ବାସୀଙ୍କ ସୁରକ୍ଷା ନେଇ କୌଣସି ବି କଡା ପଦକ୍ଷେପ ଗ୍ରହଣ କରିପାରନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀରେ ୨୪ ଘଂଟାରେ ୨୪ ହଜାର ଅତିକ୍ରମ କଲା ଦୈନିକ ସଂକ୍ରମଣ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢିଲା ଚିନ୍ତା । ଏପଟେ ରାଜ୍ୟରେ ସପ୍ତାହନ୍ତ ଲକଡାଉନ୍ ଲାଗୁ ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଶୂନଶାନ ରହିଥିବା ବେଳେ ଗାଡି ମୋଟର ଚେକିଂ ବି ଜୋରଦାର ହୋଇଛି । ଏସବୁ ଭିତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଦିଲ୍ଲୀରେ ହସ୍ପିଟାଲ ଗୁଡିକରେ ଅକ୍ସିଜେନ ଓ ବେଡ୍ ସଂଖ୍ୟା ପାଲିଟିଛି ମୁଣ୍ଡ ବିନ୍ଧାର କାରଣ । ଡାକ୍ତରଖାନାରେ ବେଡ୍ ଅଭାବ ପୂରଣ ପାଇଁ ହସ୍ପିଟାଲ ଗୁଡିକର ୫୦ ପ୍ରତିଶତ ବେଡ୍ କେବଳ କରୋନା ରୋଗୀଙ୍କ ପାଇଁ କରାଇବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି କେଜ୍ରିୱାଲ ।

ଅନ୍ୟପଟେ କେନ୍ଦ୍ରକୁ କରୋନା ମୁକାବିଲାରେ ସହାୟତା ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି, ବର୍ତମାନ ସପ୍ତାହନ୍ତ ଲକଡାଉନରେ ସ୍ଥିତି ନସୁଧୁରିଲେ ଆଗକୁ ନିଆଯିବ ବଡ ପଦକ୍ଷେପ । କାରଣ ଦିଲ୍ଲୀବାସୀଙ୍କ ଜୀବନ ସବୁଠାରୁ ମୂଲ୍ୟବାନ । ଦିଲ୍ଲୀ ପରି ମହାରାଷ୍ଟ୍ରରେ ମଧ୍ୟ କରୋନା ସ୍ଥିତି ଜଟିଳ ରହିଛି । ମୁମ୍ୱାଇ, ନାଗପୁର, ପୁଣେ ସବୁଠାରେ ଲାଗୁ ହୋଇଛି ଲକଡାଉନ । ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇଛି ହସ୍ପିଟାଲରେ ଅକ୍ସିଜେନ ଅଭାବ । ଏହାକୁ ନେଇ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଜରୁରୀକାଳୀନ ଭିତିରେ ଅକ୍ସିଜେନ୍ ସିଲିଣ୍ଡର ଏୟାରଲିଫଟ ଜରିଆରେ ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଉଦ୍ଧବ ଠାକରେ । ଏହା ପରେ ତୁରନ୍ତ ୧୧ ଶହ ୨୧ ଅକ୍ସିଜେନ୍ ସିଲିଣ୍ଡର ତୁରନ୍ତ ପଠାଇବା ବ୍ୟବସ୍ଥା କରାଯାଇଥିବା ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଦେଶରେ କେବଳ ଡାକ୍ତରଖାନା ଗୁଡିକରେ ବେଡ୍ ଓ ଅକ୍ସିଜେନ ଅଭାବ ରହିଛି ତାହା ନୁହଁ, ବରଂ କରୋନା ଟେଷ୍ଟିଂ ପାଇଁ ମଧ୍ୟ ଭିତିଭୂମିର ଅଭାବ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ଭୋପାଲରେ ଡାକ୍ତରଖାନା ବାହାରେ କରୋନା ଟେଷ୍ଟ କରାଇବାକୁ ଲାଗିଛି ଲଂବା ଲାଇନ । ସେପଟେ ଦେଶରେ କରୋନାର ମୁକାବିଲା କିପରି ଚାଲିଛି , ଏନେଇ ଶନିବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଦେବା ନେଇ ସ୍ପଷ୍ଟ କରିଛନ୍ତି ହର୍ଷବର୍ଦ୍ଧନ ।