ଫୋନ କଲେ ଫ୍ରିରେ ମିଳୁଛି ଅକ୍ସିଜେନ । ହୋମକ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ ପହଞ୍ଚାଉଛି ଶିଖ୍ ଏଡ୍ ।

267

କନକ ବ୍ୟୁରୋ: ଅକ୍ସିଜେନ ପହଞ୍ଚିବ, ଜୀବନ ବଞ୍ଚିବ । ମୃତ୍ୟୁ ମୁହଁରୁ ବଞ୍ଚିଯିବ ମଣିଷ । ଏମାନେ ଥାଉ ଥାଉ ଅକ୍ସିଜେନ ଅଭାବରେ କେହି ବୁଜିବେନି ଆଖି । ଅମ୍ଳଜାନ ପାଇଁ କେହି ହେବେନି ହଇରାଣ । ଫୋନ କରିବେ, ଅକ୍ସିଜେନ ପାଇବେ । ୧୫ ମିନିଟ୍ ଭିତରେ ଘରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ଡର… ଅକ୍ସିଜେନ ଅଭାବରେ ସାରା ଦେଶର ରୋଗୀ ତ୍ରାହି ତ୍ରାହି ଡାକୁଥିବା ବେଳେ ଅସହାୟ ରୋଗୀଙ୍କଶ ମିଳୁନି ଅମ୍ଳଜାନ । ଆଉ ଏତିକି ବେଳେ ଓଡିଶାରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏ ଯୁବକମାନେ । ହୋମ କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ପାଇଁ ଏମାନେ ପାଲଟିଛନ୍ତି ଅକ୍ସିଜେନ ମ୍ୟାନ ।

ଦେଶରେ ଅକ୍ସିଜେନ ଅଭାବରେ ସବୁଦିନ ଶହଶହ ଜୀବନ ଯାଉଥିବା ବେଳେ ଓଡିଶାର ରୋଗୀଙ୍କ ପାଇଁ ବରଦାନ ସାଜିଛି ଶିଖ୍ ଏଡ୍ । ସଂସ୍ଥାର ୪ ଜଣ ଯୁବକ ଘରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଉଛନ୍ତି । ତାହା ବି ପୁଣି ମାଗଣାରେ । ମହାମାରୀ ବେଳେ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଦିଆଯାଉଥିବା ବେଳେ ହୋମ କ୍ୱାରେଣ୍ଟାଇନଥିବା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଏମାନେ ।

ତେବେ ଭୁବନେଶ୍ୱର, କଟକର ହୋମ ଆଇସୋଲେସନରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ଅକ୍ସିଜେନ ନେଇ ପହଞ୍ଚାଉଛି ଶିଖ୍ ଆଡ୍ । ଗୋଟିଏ ଫୋନ କଲ ପରେ ଘରେ ପହଞ୍ଚୁଛି ଅକ୍ସିଜେନ । ତେବେ ଆକ୍ରାନ୍ତଙ୍କ ପରିବାରରୁ ଫୋନ ପାଇବା ପରେ ତାଙ୍କ ସବିଶେଷ ତଥ୍ୟ ଯାଞ୍ଚ କରି ୧୫ରୁ ୨୦ ମିନିଟ ଭିତରେ ଘରେ ପହଞ୍ଚାଉଛନ୍ତି ଅକ୍ସିଜେନ ସିଲିଣ୍ଡର ।

ତେବେ ଶିଖ ଆଡର ସତବୀର ସିଂହ ଯେତେବେଳେ କରୋନା ସଂକ୍ରମିତ ହୋଇଥିଲେ ସେତେବେଳେ ସେ ବହୁତ ହଇରାଣ ହୋଇଥିଲେ । ତେଣୁ ୨ୟ ଲହରରେ କେହି ଯେମିତି କଷ୍ଟ ହଇରାଣ ନହୁଅନ୍ତୁ ସେଥିପାଇଁ ଘର ଘର ବୁଲି ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ଯୁବକ । ତେବେ ଆପଣ ଯଦି ହୋମ ଆଇସୋଲେସନରେ ଅଛନ୍ତି ଆଉ ଅକ୍ସିଜେନର ଆବଶ୍ୟକତା କରୁଛନ୍ତି ତାହାଲେ ଆପଣ ବି ଫୋନ କରି ଅକ୍ସିଜେନ ମଗାଇପାରିବେ । ଶିଖ୍ ଆଡର ନମ୍ବର- ୮୦୧୮୦୦୮୦୨୧ରେ କଲ କରି ଅକ୍ସିଜେନ ପାଇଁ ଆବେଦନ କରିପାରିବେ । ଆଉ ୧୫ ମିନିଟ ଭିତରେ ମାଗଣାରେ ଏହି ଦେବଦୂତମାନେ ଆପଣଙ୍କ ଘରେ ପହଞ୍ଚାଇଯିବେ ଜୀବନ ପାଇଁ ସଞ୍ଜୀବନୀ ।