ଅମ୍ଲଜାନ ଅଭାବ କରୁଛି ଅଣନିଶ୍ୱାସୀ । କର୍ଣ୍ଣାଟକ ଚାମରାଜନଗର ସରକାରୀ ଡାକ୍ତରଖାନାରେ ଗୁରୁତର ରୋଗୀଙ୍କୁ ମିଳିଲାନି ଅକ୍ସିଜେନ । 

229

କନକ ବ୍ୟୁରୋ: ଅମ୍ଳଜାନ ଅଭାବରୁ ପୁଣି ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ । ଡାକ୍ତରଖାନାରେ ଅମ୍ଲଜାନ ପହଁଚିବାରେ ବିଳମ୍ବ ହେବାରୁ ୨୪ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ବିଳମ୍ବିତ ରାତିରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକ ଚାମରାଜନଗରରେ । ମହୀଶୁର ସହରରୁ ଚାମରାଜନଗର ୨୫୦ଟି ସିଲିଣ୍ଡର ପହଁଚିବାରେ ବିଳମ୍ବ ହେବା ଯୋଗୁଁ ଏହି ଅଘଟଣ ଘଟିଛି । ୨୪ଜଣ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଖାନାରେ ପହଁଚିଥିଲା ଅକ୍ସିଜେନ ସିଲିଣ୍ଡର ।

ପ୍ରାଣ ହରାଇଥିବା ଅଧିକାଂଶ ରୋଗୀ ଭେଟିଂଲେଟରରେ ରହିଥିଲେ । ଅମ୍ଳଜାନ ସରିବା ଯୋଗୁଁ ରୋଗୀ କିଛି ସମୟ ପାଇଁ ଛଟପଟ ହୋଇ ଜୀବନ ସହ ସଂର୍ଘଷ କରିଥିଲେ  ଓ କିଛି ସମୟ ପରେ ସବୁଦିନ ପାଇଁ ଆଖିବୁଜିଦେଇଥିଲେ । ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ଜରୁରୀ ବୈଠକ ଡକାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା । ଚାମରାଜନଗର ଜିଲ୍ଲାପାଳଙ୍କ ସହ ଆଲୋଚନ କରିବା ସହ ଘଟଣା ସମ୍ବନ୍ଧରେ ରିର୍ପୋଟ ୨୪ ଘଂଟାରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।