କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କରୋନାର ତୃତୀୟ ଲହରି ବେଳେ କେଉଁଠୁ ଆଣିବ ମାନବ ସମ୍ବଳ ?

320

କନକ ବ୍ୟୁରୋ : ଦିଲ୍ଲୀରେ ଲାଗିରହିଥିବା ଅକ୍ସିଜେନର ଅଭାବକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି କି କୌଣସି ପରିସ୍ଥିତିରେ ବି ଦିଲ୍ଲୀକୁ କେନ୍ଦ୍ର ସରକାର ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାକୁ ପଡିବ । ଅନ୍ୟ ପଟେ କେନ୍ଦ୍ର ସରକାର ତାଙ୍କ ଦଲିଲରେ କହିଥିଲେ କି ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନର ଆବଶ୍ୟକତା ନାହିଁ ।

ଏହି ଶୁଣାଣି ବେଳେ ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ ସଲିସିଟର ଜେନରଲ ତୁଶାର ମେହେଟାଙ୍କୁ ପଚାରିଥିଲେ କି ‘ଆପଣ ଫର୍ମଲା ବାନାଇଛନ୍ତି କି, ସବୁ କରୋନା ସଂକ୍ରମିତଙ୍କୁ ଅକ୍ସିଜେନ,ଆଇସିୟୁ, ଭେଣ୍ଟିଲେଟରର ଆବଶ୍ୟକତା ନାହିଁ , ଲୋକମାନେ ଘରେ ଆଇସୋଲେସନରେ ରହି ଭଲ ହେବାକୁ ଆପଣ ପରାମର୍ଶ ଦେଉଛନ୍ତି, ତାହା ତ ଠିକ୍ ହେଲେ କୋର୍ଟ ଅକ୍ସିଜେନ ଯୋଗାଣ ଉପରେ କାହିଁକି ନଜର ରଖିବ ନାହିଁ’

ଜଷ୍ଟିସ୍ ଡିବାଇ ଚନ୍ଦ୍ରଚୁଡ ଆହୁରି କହିଛନ୍ତି କି ଘରେ ରହି ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଅକ୍ସିଜେନକୁ ନେଇ ଯେଉଁ ଫର୍ମଲା ପ୍ରସ୍ତୁତ କରିଛନ୍ତି ତାହା ଭୁଲ ବୋଲି ସେ କହିଛନ୍ତି । ଆଜି ଯଦି ଆମେ କୋଭିଡ ପରିଚାଳନାକୁ ନେଇ ପ୍ରସ୍ତୁତ ନହେବା ତାହେଲେ ଆସୁଥିବା କରୋନାର ତୃତୀୟ ଲହରିକୁ କିଭଳି ମୁକାବିଲା କରିବା ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କୋର୍ଟ ଆଜି କହିଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୁଡ କହିଛନ୍ତି କି କରୋନାର ତୃତୀୟ ଲହରରେ ବୈଜ୍ଞାନିକ ମାନଙ୍କ ମତରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବେ । ଏଭଳି ସ୍ଥଳେ ପିଲାମାନେ ମେଡିକାଲରେ ରହିବା ବେଳେ ସେମାନଙ୍କ ବାପା ଓ ମା କେଉଁଠି ରହିବେ । ଏନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ବାବଦରେ ସେ ପ୍ରଶ୍ନ କରିଛନ୍ତି ।

କୋର୍ଟ କେନ୍ଦ୍ର ସରକାରଙ୍କୁ ଚେତଇ ଦେଇଛନ୍ତି କି ‘ଆପଣ ଯେଉଁ ଯୋଜନା କରୁଛନ୍ତି ସେଥିରେ କିଛି ଭୁଲ ରହିଲେ ତା’ର ଜବାବ ଆପଣଙ୍କୁ ଦେବାକୁ ହେବ , ଏଥିପାଇଁ କୋର୍ଟ ଦାୟି ରହିବ ନାହିଁ ’