କେହି ଶୁଣିଲେନି ବୁଢୀ ମା’ର ଦରଦ ! ଆସିଲାନି ଆମ୍ବୁଲାନ୍ସ, କାନ୍ଧରେ ଅକ୍ସିଜେନ ସିଲିଣ୍ଡର ହାତରେ ୟୁରିନ ପାଇପ ଧରି ଛିଡା ହୋଇଥିଲା ପୁଅ ।

95

ଉତ୍ତରପ୍ରଦେଶ ଆଗରାର ସରୋଜିନୀ ନାଇଡୁ ମେଡିକାଲ କଲେଜରେ ହସ୍ପିଟାଲ ପକ୍ଷରୁ ଜଣେ ବୃଦ୍ଧ ମା’ଙ୍କ ସହ ଅମାନବିକତା ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ମିଡିଆ ଅନୁସାରେ, ଏପ୍ରିଲ ୫ ତାରିଖରେ ରୁନକତା ଗ୍ରାମର ଜଣେ ଗ୍ରାମବାସୀ ଅଙ୍ଗୁରୀ ଦେବୀଙ୍କୁ ଶ୍ୱାସ ସମସ୍ୟା କାରଣରୁ ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଏମରଜେନ୍ସି ୱାର୍ଡରେ ବୃଦ୍ଧ ମହିଳାଙ୍କୁ ଅକ୍ସିଜେନ ଲଗାଯିବା ପରେ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯିବା ପାଇଁ କୁହାଯାଇଥିଲା । ଅକ୍ସିଜେନ ମାସ୍କ ଏବଂ ୟୁରିନ ପାଇପ ଲାଗିଥିବା କାରଣରୁ ବୃଦ୍ଧ ମହିଳାଜଣଙ୍କ ଜେନେରାଲ ୱାର୍ଡ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବା ପାଇଁ ଅସମର୍ଥ ଥିଲେ । ଜେନେରାଲ ୱାର୍ଡ ମଧ୍ୟ ଅନେକ ଦୂରରେ ରହିଥିଲା । ବୃଦ୍ଧ ମହିଳା ଜଣଙ୍କ ଅସହାୟ ଅବସ୍ଥାରେ ନିଜ ପୁଅ ସହ ଏମରଜେନ୍ସି ୱାର୍ଡ ବାହାରେ ବହୁ ସମୟ ଧରି ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରି ରହିଥିଲେ । ଏହି ସମୟ ମଧ୍ୟରେ ବୃଦ୍ଧ ମହିଳାଙ୍କ ପୁଅ ଅକ୍ସିଜେନ ସିଲିଣ୍ଡରକୁ  ନିଜ କାନ୍ଧରେ ଏବଂ ୟୁରିନ ବ୍ୟାଗକୁ ହାତରେ ଧରି ଖରାରେ ଛିଡା ହୋଇ ରହିଥିଲେ । ଅନେକ ସମୟ ଧରି ଖରାରେ ଛିଡା ହେବା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଏବଂ ପୁଣି ଥରେ ବୃଦ୍ଧ ମହିଳା ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ତାଙ୍କୁ ପୁନର୍ବାର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରିବାକୁ ପଡିଥିଲା ।

ସରୋଜିନୀ ନାଇଡୁ ମେଡିକାଲ କଲେଜରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହସ୍ପିଟାଲ କତ୍ତୃପକ୍ଷ ଏବଂ ଉତ୍ତରପ୍ରଦେଶ ସରକାରଙ୍କର ବଦନାମୀ ହୋଇଛି । ରାଜ୍ୟର ଯେଉଁ ହସ୍ପିଟାଲ ଗୁଡିକୁ ସରକାର ଏମ୍ସ ଭଳି ବିକଶିତ କରିବାକୁ କହିଛନ୍ତି, ସେଥିରେ ଆଗରାର ସରୋଜିନୀ ନାଇଡୁ ମେଡିକାଲ କଲେଜ ମଧ୍ୟ ସାମିଲ ଅଛି । ଇଟିଭି ୟୁପି ଭାରତ ନାମର ୟୁଟ୍ୟୁବ ପ୍ରୋଫାଇଲରେ ଏହି ଘଟଣାର ଭିଡିଓ ସେୟାର କରାଯାଇଛି । ଭାଇରାଲ ହୋଇଥିବା ପାଖାପାଖି  ୧୧ସେକେଣ୍ଡର ଏହି ଭିଡିଓ ହସ୍ପିଟାଲରେ ଘଟିଥିବା ଏହି ଅମାନବିକତା ଘଟଣାର ପୁରା କାହାଣୀ କହିଦେଉଛି ।

 

ସୂଚନା ଅନୁଯାୟୀ, ହସ୍ପିଟାଲରେ ଏଭଳି ଦାୟିତ୍ୱହୀନତା କାର୍ଯ୍ୟ ବଢୁଥିବା ବେଳେ ଏହି ଭଳି ଅମାନବିକତା ଘଟଣା ସାମ୍ନାକୁ ଆସୁଛି । କିଛି ଦିନ ତଳେ ଝାନସୀ ମେଡିକାଲ କଲେଜର ଏକ ଘଟଣା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରୋଗୀର ଚିକିତ୍ସା କରୁଥିବା ଡାକ୍ତର ତାଙ୍କର କଟି ଯାଇଥିବା ଗୋଡକୁ ହିଁ ତକିଆ ଭାବେ ବ୍ୟବହାର କରିଥିଲେ । ଘଟଣାର ଫଟୋ ଭାଇରାଲ ହେବା ପରେ ହସ୍ପିଟାଲ ସମେତ ସରକାରୀ ସ୍ଥରରେ ଚିନ୍ତା ବଢି ଯାଇଥିଲା । ଏମିତି ଆଉ ଏକ ଘଟଣା କିଛି ଦିନ ତଳେ ୟୁପିର ସୁଲତାନପୁରରେ ଦେଖିବାକୁ ମିଳିଥିଲା । ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିର ଗୋଡକୁ ଜିଲ୍ଲା ହସ୍ପିଟାଲର ଜଣେ ଷ୍ଟାଫ୍ ତାଙ୍କର ଦୁଇ ଗୋଡର ମଝିରେ ରଖି ଦେଇଥିଲେ ।