ଅକ୍ସିଜେନ୍ ସିଲିଣ୍ଡର ଧରି ଚୀନରୁ ଓଡିଶା ଆସିଲା ବିମାନ । କୋଭିଡ ମୁକାବିଲା ପାଇଁ ଆରସେଲର ମିତ୍ତଲ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ କରାଗଲା ସହାୟତା ।

255

କନକ ବ୍ୟୁରୋ: ଚୀନରୁ ଆସିଲା ଅକ୍ସିଜେନ୍ ସିଲିଣ୍ଡର । କର୍ପୋରେଟ୍ ସୋସିଆଲ୍ ରେସପୋନସିବିଲିଟି ବା ସାମାଜିକ ଦାୟିତ୍ୱବୋଧ ଅଧୀନରେ ଏହି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇଛି ଆର୍ସେଲର ମିତ୍ତଲ ନିପନ୍ ଇଣ୍ଡିଆ । ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ, ହେଲେ  ଅଧିକ ସଂଖ୍ୟକ ଅକ୍ସିିଜେନ୍ ସିଲିଣ୍ଡରର ଆବଶ୍ୟକତା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ୧୩୦୦ ସିଲିଣ୍ଡର ହସ୍ତାନ୍ତର କରିଛି ଆର୍ସେଲର ମିତ୍ତଲ । ଜୁନ୍ ଦ୍ୱିତୀୟ ସପ୍ତାହରେ ଅବଶିଷ୍ଟ ସିଲିଣ୍ଡର ଓଡ଼ିଶା ପହଁଚିବ ।

ଘରୋଇ ବ୍ୟବହାର ପାଇଁ ୧୦ ଲିଟର ଓ ଡାକ୍ତରଖାନା ପାଇଁ ୪୬.୭ ଲିଟର ବିଶିଷ୍ଟ ସିଲିଣ୍ଡର ଆସିଛି । ଚୀନର ସିଲିଣ୍ଡର ପ୍ରସ୍ତୁତକାରୀ ସଂସ୍ଥା ସାନଡୋଙ୍ଗ ୟୋଙ୍ଗାନ୍ ସଂସ୍ଥାରୁ ଏହି ସିଲିଣ୍ଡର ଅଣାଯାଇଛି । ପର୍ଯ୍ୟାୟ କ୍ରମେ ଆସେଲର ମିତ୍ତଲ ପକ୍ଷରୁ ମୋଟ ୫୧୦୦ ସିଲିଣ୍ଡର ଓଡିଶାକୁ ଯୋଗାଇ ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଚୀନରୁ ସମୁଦ୍ର ପଥ ଦେଇ ବିଶାଖାପାଟଣା ପହଁଚିବା ପରେ ସେଠାରୁ ସଡ଼କପଥ ଦେଇ ଓଡ଼ିଶା ଆସିବ । ଇତି ମଧ୍ୟରେ ଓଡ଼ିଶା ୧୮ଟି ରାଜ୍ୟକୁ ପ୍ରାୟ ୨୫ ହଜାର ଟନ୍ ଅକ୍ସିଜେନ ଯୋଗାଇଛି । ଓଡ଼ିଶାରେ ଅକ୍ସିଜେନର ଅଭାବ ନାହିଁ ବୋଲି ରାଜ୍ୟ ସରକାର କହୁଥିବା ବେଳେ ଅକ୍ସିଜେନର ସୁପରିଚାଳନା ପାଇଁ ଏକ ଟାକ୍ସଫୋର୍ସ ଗଠନ କରାଯାଇଛି ।