ମହାମାରୀ ବେଳେ ସହାୟତା ନୁହେଁ ମୁନାଫା କମାଇବାକୁ ଅସାଧୁ ବ୍ୟବସାୟୀଙ୍କ ଚାଲ୍ । ଅକ୍ସିଜେନ୍ ସିଲିଣ୍ଡର ପାଇଁ ଦାବି କରୁଛନ୍ତି ୨୦ ହଜାର ଟଙ୍କା ଜମାରାଶି ।

172

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ରାଜ୍ୟର ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଅଧିକ ସଂଖ୍ୟାରେ ରୋଗୀ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ରୋଗୀ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ସେମାନେ ଘରେ ଅକ୍ସିଜେନ ନେଉଛନ୍ତି । ଏହାର ସୁଯୋଗ ନେଇ କିଛି ମୁନାଫା ଖୋର ବ୍ୟବସାୟୀ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ କରୁଛନ୍ତି ।

କରୋନା ସହ ମହାମାରୀ ଲଢ଼େଇ ବେଳେ ଅମ୍ଳଜାନ ଅତି ଜରୁରୀ ହୋଇଥିବାରୁ , ଲୋକଙ୍କ ଅସୁବିଧାର ସୁଯୋଗ ନେଇ ବ୍ରହ୍ମପୁର ସହରରେ ଲୁଟୁଛନ୍ତି କିିଛି ମୁନାଫାଖୋର ବ୍ୟବସାୟୀ । ଜଣେ ଗ୍ରାହକ ସାଜି କଳାବଜାରୀ ବ୍ୟବସାୟୀଙ୍କୁ ଯୋଗାଯୋଗ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି । ତାପରେ ଅସାଧୁ ବ୍ୟବସାୟୀ ଜଣଙ୍କ ସିଧା ସିଧା ଶୁଣାଇ ଦେଇଥିଲେ ରେଟ୍ । କହିଥିଲେ, ନୂଆ ଟାଙ୍କି କିଣିଲେ ୩୩ ହଜାର ଟଙ୍କା, ଭଡା ନେଲେ ଦିନକୁ ୧ ହଜାର ଟଙ୍କା ଓ ଆଡଭାନ୍ସ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ପଡିବ ।

ସବୁଠାରୁ ବଡ କଥା ହେଉଛି ସହରରେ ଅମ୍ଳଜାନ କଳାବଜାରୀ ଚାଲିଥିବାବେଳେ , ଚୁପ ବସିଛି ଡ୍ରଗ୍ସ ବିଭାଗ । ଏନେଇ ଯୋଗାଯୋଗ କରିବାରୁ ଡ୍ରଗ୍ସ ବିଭାଗ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ଅଭିଯୋଗ ପହଁଚିନି , ଅଭିଯୋଗ ଆସିଲେ ଏହି ସବୁର ତଦନ୍ତ କରାଯିବ ।