ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବ । ରାଜୀବ ଗାନ୍ଧୀ ହସ୍ପିଟାଲରେ ମାତ୍ର ୨ ଘଂଟା ପାଇଁ ଷ୍ଟକ ଅଛି ଅକ୍ସିଜେନ

102

କନକ ବ୍ୟୁରୋ : ଦେଶରେ ରାଜଧାନୀ ଦିଲ୍ଲୀ ଏବେ କରୋନା ମହାମାରୀ ପାଇଁ ବଡ ସଂକଟରେ ରହିଛି । କିଛିଦିନ ହେବ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହୁଥିବା ବେଳେ ୨୦୦ ରୁ ୨୫୦ ପର୍ଯ୍ୟନ୍ତ ରୋଗୀଙ୍କର ଦୈନିକ ମୃତ୍ୟୁ ହେଉଛି । ହେଲେ ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ପାଇଁ ବେଡର ଅଭାବ ସହିତ ଅକ୍ସିଜେନର ଅଭାବ ସରକାରଙ୍କୁ ଚିନ୍ତାରେ ପକାଇଛି ।

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ସକାଳ ୧୦ ଟା ପର୍ଯ୍ୟନ୍ତ ଅକ୍ସିଜେନ ଷ୍ଟକ ରହିଥିବା କଥା କୁହାଯାଇଥିଲା । ସେହିଭଳି ରୋହିଣୀ ଠାରେ ଥିବା ସରୋଜ ହସ୍ପିଟାଲରେ ବି ୨ ଘଂଟାର ଷ୍ଟକ ଥିବା ମେଡିକାଲ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । କହିରଖୁ କି ଏହି ହସ୍ପିଟାଲରେ ଦୈନିକ ୨୭୦୦ କୁବିକ୍ ମିଟର ଅକ୍ସିଜେନର ଆବଶ୍ୟକତା ରହିଛି । ସେହିଭଳି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ୯.୦୫ ରେ ଆସିଥିବା ଖବର ମୁତାବକ ମାତ୍ର ୨ ଘଂଟା ପାଇଁ ଅକ୍ସିଜେନ ମହଜୁତ ଥିବା କୁହାଯାଇଛି । ଏହି ହସ୍ପିଟାଲକୁ ଦୈନିକ ୫ ରୁ ୬ ଟନ୍ ଅକ୍ସିଜେନର ଆବଶ୍ୟକତା ରହିଛି ।

ଅକ୍ସିଜେନର ଅଭାବ ବାବଦରେ ମେକ୍ସ ହସ୍ପିଟାଲ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ଏନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ମେଡିକାଲଗୁଡିକୁ ଅକ୍ସିଜେନ ଯୋଗାଇ ଦେବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ।
କହିରଖୁ କି ଗତ ୨୪ ଘଂଟାରେ ଦିଲ୍ଲୀରେ ୨୪,୬୩୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି ।