ଜାନୁୟାରୀ ସୁଦ୍ଧା ଭାରତକୁ ମିଳିପାରେ ଆଷ୍ଟ୍ରେଜେନିକା ଟିକା । ଟିକାକରଣ ପ୍ରକ୍ରିୟା ତଦାରଖ କରିବା ପାଇଁ ୪ଟି ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍-ଅଭ୍ୟାସ, ବିଶେଷଜ୍ଞ ଡାକ୍ତର କହିଲେ, କରୋନାର ନୂଆ ଷ୍ଟ୍ରେନକୁ ପ୍ରତିହତ କରିପାରିବ ଟିକା ।

145

କନକ ବ୍ୟୁରୋ : ଜାନୁୟାରୀରୁ କୋଭିଡ ଟିକାକରଣ ଆରମ୍ଭ କରିପାରନ୍ତି ଭାରତ ସରକାର । ସେଇଥି ପାଇଁ ଆଜିଠୁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହି ପ୍ରାକ ଅଭ୍ୟାସରେ ଭାରତ ଭଳି ବିଶାଳ ଦେଶରେ ସମୂହ ଟିକା ପାଇଁ କରାଯାଇଥିବା ପ୍ରସ୍ତୁତି କେତେ ଫଳପ୍ରଦ ତାହାର ପରୀକ୍ଷା ବି ହୋଇଯିବ । ଆସନ୍ତା ସପ୍ତାହ ସୁଦ୍ଧା ଭାରତରେ ଆଷ୍ଟାଜେନିକା ଟିକା ବ୍ୟବହାର ପାଇଁ ଅନୁମତି ମିଳିପାରେ । ତେଣୁ ଏବେଠୁ ଟିକା ଦେବାର ପ୍ରସ୍ତୁତି ଯାଞ୍ଚ ଆରମ୍ଭ ହୋଇଯାଇଛି ।

ଭାରତ ସରକାର ଜାନୁୟାରୀ ମାସରୁ ଦେଶରେ କରୋନା ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ତେଣୁ ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଡ୍ରାଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଞ୍ଚିବ । ଏହି ସମୟରେ ଟ୍ରାଫିକ୍ ଭିଡ ଏଡାଇବା, ଭ୍ୟାକିସନର ରିଅଲ ଟାଇମ ମନିଟରିଂ ମଧ୍ୟ ପରଖା ଯିବ ।

ଆନ୍ଧ୍ରପ୍ରଦେଶ, ଆସାମ, ଗୁଜୁରାଟ ଓ ପଞ୍ଜାବର ଦୁଇଟି ଲେଖାଏଁ ଜିଲ୍ଲାରେ ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନ ଏହି ଡ୍ରାଏ ରନ ବା ଟିକାକରଣର ମକଡ୍ରିଲ ଚାଲିବ । ଏହି ଡ୍ରାଏ ରନ ବା ରିହର୍ସଲ ଜରିଆରେ କୋଭିଡ ଟିକା ଦେବା ପାଇଁ ସରକାର କରିଥିବା ପ୍ରସ୍ତୁତି କେତେ ଫଳପ୍ରଦ ତାହା ପରୀକ୍ଷା କରାଯିବ ।

ଗୋଟିଏ ପଟେ ଭାରତରେ ଟିକାକରଣ ପାଇଁ ଡ୍ରାଏ ରନ ଚାଲିଛି, ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଚୀନ, ରୁଷିଆ, ୟୁଏଇରେ ନାଗରିକଙ୍କୁ କୋଭିଡ ଟିକା ଦିଆଯାଉଛି । ଏପଟେ ଆଷ୍ଟ୍ରାଜେନିକା, ଭାରତରେ ଟିକା ବ୍ୟବହାର ପାଇଁ ସରକାରଙ୍କ ଅନୁମତି ଲୋଡିଥିବାରୁ ଦେଶରେ ଜାନୁୟାରୀ ସୁଦ୍ଧା ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଭାରତକୁ ମିଳିବାକୁ ଥିବା ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ପ୍ରସ୍ତୁତ ଟିକାର ନାମ କୋଭାସିଲଡ ରଖାଯାଇଛି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ଓ ନୂଆ ଷ୍ଟ୍ରେନକୁ ରୋକିବାକୁ ସକ୍ଷମ ବୋଲି ଦାବି କରିଛି ଅଷ୍ଟ୍ରାଜେନିକା ।  ଭାରତ ଭଳି ଏକ ବିଶାଳ ଦେଶରେ ପ୍ରଥମ ଦଫାରେ ୩୦କୋଟି ଲୋକଙ୍କୁ ଟିକା ଦେବା ପାଇଁ ତାଲିକା କରାଯାଇଛି । ଟିକାକରଣ ପାଇଁ ପୂର୍ବରୁ ୭ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ।