ପୁଣି ସ୍ୱାଭାବିକ ହେଲା ଅକ୍ସଫୋର୍ଡର ଟିକା ପରୀକ୍ଷଣ: ବ୍ରିଟେନର ସ୍ୱାସ୍ଥ୍ୟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଗ୍ରୀନ୍ ସିଗ୍ନାଲ୍ ପରେ ଚାଲୁ ହେଲା ପରୀକ୍ଷଣ; ଟିକା ପରୀକ୍ଷଣ ବେଳେ ଜଣେ ଅସୁସ୍ଥ ହେବାର ରହିଥିଲା ସ୍ଥଗିତ

ପରୀକ୍ଷଣରେ ସାମିଲ ଅଛି ସିରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ

296

କନକ ବ୍ୟୁରୋ: ପୁଣି ସ୍ୱାଭାବିକ ହେଲା ଅକ୍ସଫୋର୍ଡର ଟିକା ପରୀକ୍ଷଣ । ବ୍ରିଟେନର ସ୍ୱାସ୍ଥ୍ୟ ନିୟନ୍ତ୍ରଣ କର୍ତୃପକ୍ଷଙ୍କ ଗ୍ରୀନ୍ ସିଗନାଲ୍ ପରେ ପୁଣି ଥରେ ଚାଲୁ ହୋଇଛି ପରୀକ୍ଷଣ । ଅଷ୍ଟ୍ରେଜେନିକା ଟିକାର ପରୀକ୍ଷଣ ନିରାପଦ ବୋଲି ସୂଚନା ଦେଇଛି ବ୍ରିଟେନର ସ୍ୱାସ୍ଥ୍ୟ ନିୟନ୍ତ୍ରଣ ପ୍ରାଧିକରଣ । ଏହା ପୁର୍ବରୁ ଅଧାରୁ ବନ୍ଦ ରଖାଯାଇଥିଲା ଟିକାର ପରୀକ୍ଷଣ । କାରଣ, ଟିକା ନେବା ଯୋଗୁଁ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ । ଆଉ ଏହାକୁ ଦୃଷ୍ଟିରେ ରଖି ଅକ୍ସଫୋର୍ଡ ଟିକା ପରୀକ୍ଷଣକୁ ବନ୍ଦ ରଖିବାକୁ ନିଷ୍ପତି ହୋଇଥିଲା ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯିବା ପରେ ଏହାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଟିକା ନିର୍ମାଣରେ ସାମିଲ ଅଛି ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ । ବ୍ରିିଟେନରେ ପରୀକ୍ଷଣ ବନ୍ଦ ହେବା ପରେ ଭାରତରେ ମଧ୍ୟ ପରୀକ୍ଷଣ ବନ୍ଦ କରିବାକୁ ନିଷ୍ପତି ହୋଇଥିଲା ।ଏପଟେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରୀକ୍ଷଣକୁ ସ୍ୱାଭାବିକ୍ କରିବା ନେଇ ଘୋଷଣା କରିବା ପରେ ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ ମଧ୍ୟ ପରୀକ୍ଷଣ ଜାରି ରଖିବ । ଏନେଇ ଡିଜିସିଆର ସହମତି ମଧ୍ୟ ମିଳିିଥିବା ସୂଚନା ଦିଆଯାଇଛି ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଟିକା ଆସିନାହିଁ ସତର୍କ ରୁହ । ଯେ ପର୍ଯ୍ୟନ୍ତ ଟିକା ଆସିନାହିଁ, ସେ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଟିକା ନଆସିବା ପର୍ଯ୍ୟନ୍ତ ସଂକ୍ରମଣକରୁ ରୋକିବା ପାଇଁ ଲୋକମାନେ ସତର୍କ ରହିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯେ ପର୍ଯ୍ୟନ୍ତ ସଠିକ ଭାବେ କାମ କରୁଥିବା ଏକ ଔଷଧ ନ ଆସିଛି ସେ ପର୍ଯ୍ୟନ୍ତ ଦେଶର ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ପଡିବ । ଔଷଧ ନଆସିବା ପର୍ଯ୍ୟନ୍ତ ଖାମଖିଆଲ ମନଭାବ ଛାଡିବାକୁ ପଡିବ ।

ମଧ୍ୟପ୍ରଦେଶରେ ଗୃହ ପ୍ରକଳ୍ପର ଭର୍ଚୁଆଲ ହାଉସ ୱାର୍ମିଂ ସେରେମନିରେ ଉଦବୋଧନ ଦେଇ ଦେଶବାସୀଙ୍କ ପାଇଁ ଏହା କହିଛନ୍ତି ମୋଦି । କମସେ କମ୍ ୭ଟି ଭାରତୀୟ ଫାର୍ମା କମ୍ପାନି, ଭାରତ ବାୟୋଟେକ, ସେରମ ଇନଷ୍ଟିଚ୍ୟୁଟ, ଜାଇଡସ କାଡିଲା, ପାନାସିଆ ବାୟୋଟେକ, ଇଣ୍ଡିଆନ ଇମ୍ୟୁନୋଲଜିକାଲସ, ମିନଭାକ୍ସ ଏବଂ ବାୟୋଲଡିକାଲ-ଇ , କରୋନା ଟିକା ବାହାର କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଆଇସିଏମଆର ସହିତ ମିଳିତ ଭାବେ ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କୋଭାକ୍ସିନ ଭାରତର ୧୨ଟି ପ୍ରତିଷ୍ଠାନରେ ପରୀକ୍ଷଣ କରାଯାଇଛି । କୋଭାକସିନ ଆନିମଲ ଟ୍ରାଏଲ ସଫଳ ହୋଇଛି । ଏଥିସହ କ୍ଲିନିକାଲ ଟ୍ରାଏଲର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଏହା ଭଲ ଫଳ ଆଣିଛି । ତେଣୁ ଏହାରି ଭିତରେ ଦେଶବାସୀ ଅପେକ୍ଷା କରିଛନ୍ତି କେବେ ଆସିବ କରୋନା ଟିକା ।