ଅକ୍ସଫୋର୍ଡ଼ କରୋନା ଭ୍ୟାକସିନକୁ ବ୍ରିଟେନର ମଞ୍ଜୁରୀ : ପୂର୍ବରୁ ଫାଇଜରକୁ ମିଳିସାରିଛି ଅନୁମତି; ଭାରତର ଅନୁମତିକୁ ଅପେକ୍ଷା

94

କନକ ବ୍ୟୁରୋ : କରୋନାର ଭୟ ମଧ୍ୟରେ ଆସିଲା ଭଲ ଖବର । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟୀକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟ୍ରେନର ଭୟ ମଧ୍ୟରେ ଆଷ୍ଟ୍ରଜେନିକା ଟିକାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଫାଇଜର ଟିକାର ବ୍ୟବହାର ନେଇ ବ୍ରିଟେନ ଅନୁମତି ଦେଇସାରିଛି । ଟିକାର ଗଣବତା ଓ ନିରାପତ୍ତା ସମ୍ପର୍କରେ କମ୍ପାନୀ ଅଧିକ ତଥ୍ୟ ଦେବା ପରେ ବ୍ରିଟେନ ଏହି ଟିକାକୁ ଅନୁମତି ଦେଇଛି ।

ବ୍ରିଟେନର ଔଷଧ ନିୟାମକ ମେଡିସିନସ ଆଣ୍ଡ ଓ ହେଲଥ କେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନସି ଏ ନେଇ ଆବଶ୍ୟକ ଅନୁମିତ ଦେଇଛି । ବ୍ରିଟେନ ସରକାର ଆଷ୍ଟ୍ରଜେନିକାର ୧୦ କୋଟି ଡୋଜ ଟିକା କିଣିବାକୁ ବରାଦ ଦେଇସାରିଛନ୍ତି । ଅକ୍ସଫୋର୍ଡ ଟୀକାକୁ ବ୍ରିଟେନର ଅନୁମତି ପରେ ଭାରତ ବି ଏହାକୁ ଅନୁମତି ଦେବା ଆଶା ବଢିଛି । ବର୍ତମାନ କରୋନାର ନୂଆ ଷ୍ଟ୍ରେନ ବିଶ୍ୱବାସୀଙ୍କ ଚିନ୍ତାକୁ ବଢାଇଦେଇଛି । ଏଥିପାଇଁ ପ୍ରତିଷେଧକ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ବ୍ରିଟେନ ଓ ଆମେରିକାରେ ବଡ ଟିକାକରଣ କାମ ଆରମ୍ଭ ହୋଇସାରିଛି ।

ଭାରତରେ ଆସନ୍ତା ମାସରୁ ଟିକାକରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖବର ଅନୁସାରେ, ଆସନ୍ତା ମାସରେ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ । କମ୍ପାନୀ ସମସ୍ତ ତଥ୍ୟ ଦେବା ପରେ ଭାରତର କେନ୍ଦ୍ରୀୟ ଔଷଧ ମାନବ ନିୟନ୍ତ୍ରଣ ସଙ୍ଗଠନ ଏହାକୁ ଅନୁମତି ଦେବ । ଦେଶରେ ୬ରୁ ଅଧିକ ଟିକାର ପ୍ରସ୍ତୁତି ଓ ପରୀକ୍ଷା ଚାଲିଥିବାବେଳେ କୌଣସି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ତେଣୁ ପ୍ରଥମ ଟିକା ଭାବେ କୋଭିସିଲ୍ଡକୁ ଅନୁମତି ମିଳିବା ସମ୍ଭାବନା ରହିଛି । କୋଭାସିଲ୍ଡ କମ ଆୟକାରୀ ଦେଶ ପାଇଁ ଉପ ଯୋଗୀ ସାବ୍ୟସ୍ତ ହେବା ଆଶା କରାଯାଉଛି । ଏହା ସବୁଠାରୁ ଶସ୍ତା ଓ ସାଧାରଣ ଫ୍ରିଜରରେ ମଧ୍ୟ ଅଧିକ ସମୟ ରହିପାରିବ ।