ହଜାରେ ଟଙ୍କାରେ ମିଳିବ କରୋନା ଟିକା: ନଭେମ୍ବର ସୁଦ୍ଧା ବଜାରରେ ଉପଲବ୍ଧ ହେବ କୋଭାସିଲଡ

ସୂଚନା ଦେଲେ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା: କହିଲେ, ଖୁବ୍ ଶୀଘ୍ର ଆରମ୍ଭ ହେବ ଟିକା ପ୍ରସ୍ତୁତି

938

କନକ ବ୍ୟୁରୋ: କରୋନା ଟିକାକୁ ସାରା ବିଶ୍ୱ ଅନାଇ ବସିଥିବାବେଳେ ଆସିଛି ଭଲ ଖବର । ପ୍ରାୟ ହଜାରେ ଟଙ୍କା ବା ତାଠାରୁ କମ୍ ଦାମରେ ଭାରତରେ ମିଳିବ ଅକ୍ସଫୋର୍ଡର କରୋନା ଟିକା ‘କୋଭିସିଲଡ୍’ । ଏବଂ ନଭେମ୍ବର ମାସରେ ଏହା ଉପଲଲବ୍ଧ ହେବ । ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଟିକା ପ୍ରସ୍ତୁତ ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିଥିବା ଭାତରୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ର ମୁଖ୍ୟ ଅଦର ପୁନାୱାଲା । ସେ କହିଛନ୍ତି ଖୁବ୍ ଶୀଘ୍ର ଟିକା ପ୍ରସ୍ତୁତି ଆରମ୍ଭ ହେବ । ଚଳିତ ସପ୍ତାହରେ ଏଥିପାଇଁ ଅନୁମତି ମଗାଯିବ । ଡିସେମ୍ବର ସୁଦ୍ଧା ଏହି ଭ୍ୟାକ୍ସିନର ୩ଶହରୁ ୪ଶହ ମିଲିୟନ ଡୋଜ୍ ପ୍ରସ୍ତୁତ କରିବା ପାଇଁ ତାଙ୍କ କମ୍ପାନୀ ଲକ୍ଷ୍ୟ ରଖିଛି । ତେବେ କାହାକୁ ଭ୍ୟାକସିନ ଦିଆଯିବ ତାହା ସରକାର ସ୍ଥିର କରିବେ ।

ସେହିପରି ଅକ୍ସଫୋର୍ଡ ଭ୍ୟାକସିନ ଗ୍ରୁପର ନିର୍ଦ୍ଦେଶକ ଆଣ୍ଡ୍ର୍ୟୁ ପୋଲାର୍ଡ କହିଛନ୍ତି, ଏହି ଟିକା ଯେଉଁଭଳି ଆଂଟିବଡି ସୃଷ୍ଟି କରୁଛି ସେଥିରୁ ଏହାର ସଫଳତା ବେଶ୍ ଭଲ ବୋଲି ଜଣାପଡୁଛି । ଏହାର ଟ୍ରାଏଲରେ ସଫଳତା ମିଳିଥିଲେ ମଧ୍ୟ ଏବେ ଏହା କରୋନା ଭୂତାଣୁ ଆକ୍ରାନ୍ତଙ୍କୁ ବଂଚାଇ ପାରୁଛି କି ନାହିଁ ତାର ପ୍ରମାଣର ଆବଶ୍ୟକତା ରହିଛି । ତେଣୁ ବର୍ତମାନ ଟିକାକୁ ଅଲଗା ଅଲଗା ଲୋକଙ୍କ ଉପରେ ଟ୍ରାଏଲ କରାଯାଉଛି ଏଥିରୁ ଆକଳନ କରାଯିବ ଏହାର ପ୍ରଭାବ କିଭଳି ରହୁଛି । ଆଷ୍ଟ୍ରାଜେନିକା କମ୍ପାନୀ ସହ ମିଶି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ କରୋନା ଭ୍ୟାକସିନ ପ୍ରସ୍ତୁତ କରୁଛି । ଏବଂ ଏହାର ମାନବ ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଛି । ଟିକା ପ୍ରସ୍ତୁତ ପାଇଁ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ସହ ଚୁକ୍ତି କରିଛି ଅକ୍ସଫୋର୍ଡ ।