ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସମାନତା ନେଇ ଅକ୍ସଫାମ ରିପୋର୍ଟ : ସ୍ୱାସ୍ଥ୍ୟ ଓ ପରିମଳ ସେବା ପାଇବାରେ ପଛରେ ପଡିଛନ୍ତି ଗରିବ

83

କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ କିପରି ଅସମାନତା ରହିଛି, ଏ ନେଇ ରିପୋର୍ଟ ପ୍ରସ୍ତୁତ କରିଛି ଅକ୍ସଫାମ । ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ଓ ପରିମଳ ଆଦି ସେବା ପାଇବାରେ ଗରିବ ଓ ଧନୀଙ୍କ ମଧ୍ୟରେ ବଡ ଧରଣର ପାର୍ଥକ୍ୟ ରହିଛି । ମହିଳା, ପୁରୁଷ ଏବଂ ଅନୁସୂଚିତ ଜାତି, ଜନଜାତି, ସାଧାରଣ ବର୍ଗ ମଧ୍ୟରେ ବି ଫରକ ଦେଖିବାକୁ ମିଳିଛି । ଧନୀ ଓ ଗରିବ ପରିବାର ମହିଳାଙ୍କ ସାକ୍ଷରତାରେ ବ୍ୟବଧାନ ରହିଛି ୫୫ ଦଶମିକ ୧ ପ୍ରତିଶତ । ସାଧାରଣ ବର୍ଗର ୬୬ ପ୍ରତିଶତ ପରିବାର ପାଇଁ ଉନ୍ନତମାନର ପରିମଳ ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ଅନୁସୂଚିତ ଜାତିର ୨୮ ଦଶମିକ ୫ ପ୍ରତିଶତ ଏବଂ ଅନୁସୂଚିତ ଜନଜାତିର ୩୯ ଦଶମିକ ୮ ପ୍ରତିଶତ ପରିବାର ଏହି ସୁବିଧା ପାଉଛନ୍ତି ।

ସରକାରୀ ବୀମା ଯୋଜନାରେ ଦେଶର ଏକ-ତୃତୀୟାଂଶରୁ କମ୍ ପରିବାର ସାମିଲ ହୋଇଛନ୍ତି । ସେହିପରି ପ୍ରତିଷେଧକ ଟିକା କ୍ଷେତ୍ରରେ ପଛରେ ପଡିଛନ୍ତି ଶିଶୁ କନ୍ୟା । ଏପରିକି ଗରିବ ପରିବାର ଠାରୁ ଧନୀ ପରିବାରର ୧୭ ପ୍ରତିଶତ ଅଧିକ ପିଲା ପ୍ରତିଷେଧକ ଟିକା ନେଉଛନ୍ତି । ଦେଶର ୫୦ ପ୍ରତିଶତରୁ ଅଧିକ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ପ୍ରତି ୨ ଜଣରେ ଜଣେ ଶିଶୁ ରକ୍ତହୀନତାରେ ଶିକାର ହେଉଛନ୍ତି । ଅନୁସୁଚିତ ଜାତି ଓ ଜନଜାତି ବର୍ଗରେ ପ୍ରତି ୫ ଜଣରେ ୩ ଜଣ ଶିଶୁ ରକ୍ତହୀନତାରେ ଶିକାର ହେଉଛନ୍ତି । ସେହିପରି କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅସମାମନତା ଦେଖିବାକୁ ମିଳିଛି । ଯେଉଁ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଅଧିକ ଖର୍ଚ୍ଚ କରିଛି, ସେଠରେ ଆରୋଗ୍ୟ ହାର ଅଧିକ ରହିଛି । ଅନୁସୁଚିତ ଜାତି ଓ ଜନଜାତି ବର୍ଗର ୫୦ ପ୍ରତିଶତରୁ ଅଧିକ ଲୋକ ଅଣ କୋଭିଡ୍ ଚିକିତ୍ସା ସେବା ପାଇବାରେ ସମସ୍ୟାର ସମୁଖୀନ ହୋଇଛନ୍ତି ।

ସାଧାରଣ ବର୍ଗରେ ଏହା ମାତ୍ର ୧୮ ଦଶମିକ ୨ ପ୍ରତିଶତ । କରୋନା ଯୋଗୁଁ ମହିଳାମାନେ ଅଧିକ ମାନସିକ ବିଷାଦରେ ରହିଛନ୍ତି । ୩୩ ଦଶମିକ ୯ ପ୍ରତିଶତ ମହିଳା ନିଦ୍ରା ହିନତା, ଅନ୍ୟାନ୍ୟ ମାନସିକ ସମସ୍ୟା ଭୋଗୁଥିବା ବେଳେ ୧୮ ଦଶମିକ ୨ ପ୍ରତିଶତ ପୁରୁଷ ଏହି ସମସ୍ୟାର ସମୁଖୀନ ହୋଇଛନ୍ତି । ଅକ୍ସଫାମର ରିପୋର୍ଟ ଅନୁସାରେ ଭାରତରେ ୧୦,୧୮୯ ଲୋକଙ୍କ ପାଇଁ ଜଣେ ଡାକ୍ତର ଏବଂ ୯୦,୩୪୩ ଜଣଙ୍କ ପାଇଁ ଗୋଟିଏ ସରକାରୀ ଡାକ୍ତରଖାନା ରହିଛି । ଗ୍ରାମାଂଚଳର ଲୋକଙ୍କ ପାଇଁ ସରକାରୀ ହସପିଟାଲରେ ୩୪୩୦ ବ୍ୟକ୍ତିଙ୍କ ପାଇଁ ଗୋଟିଏ ବେଡ୍ ଉପଲବ୍ଧ ରହିଛି ।

ତେବେ ସହରାଂଚଳରେ ୮୬୯ ଲୋକଙ୍କ ପିଛା ସରକାରୀ ହସପିଟାଲରେ ଗୋଟିଏ ବେଡ୍ ରହିଛି । ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ବ୍ୟକ୍ତି ଗ୍ରାମାଂଚଳରେ ରୁହନ୍ତି, ହେଲେ ସେମାନଙ୍କ ପାଇଁ ମାତ୍ର ୪୦ ପ୍ରତିଶତ ବେଡ୍ ରହିଛି । ଚିକିତ୍ସା ପାଇଁ ଖର୍ଚ୍ଚ କରି ୬ କୋଟି ୩୦ ଲକ୍ଷ ଲୋକ ପ୍ରତି ବର୍ଷ ଗରିବ ହୋଇ ଯାଉଛନ୍ତି । ମୋଟ ଚିକିତ୍ସା ଖର୍ଚ୍ଚର ହାରାହାରି ୬୭.୮ ପ୍ରତିଶତ ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରିଥାନ୍ତି ଭାରତୀୟ ।