ବ୍ୟବସ୍ଥାର ବାସ୍ତବ ଚିତ୍ର ସାମ୍ନାକୁ ଆଣିଲା ଅକ୍ସଫାମ ରିପୋର୍ଟ । ମହାମାରୀ ଠାରୁ ଆଗରେ ବିଶ୍ୱର ଅନାହାର ମୃତ୍ୟୁ ହାର

118

କନକ ବ୍ୟୁରୋ : ଅକ୍ସଫାମ ପକ୍ଷରୁ ବିଶ୍ୱରେ ଅନାହାର ମୃତ୍ୟୁକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି କି ଏବେ ବିଶ୍ୱରେ ପ୍ରତି ମିନିଟରେ ୧୧ ଜଣ ଲୋକ ଅନାହାରରେ ମୃତ୍ୟୁବରଣ କରୁଛନ୍ତି । କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ପ୍ରତି ମିନିଟରେ ୭ ଜଣ ଲୋକ ମୃତ୍ୟୁବରଣ କରୁଥିବା ଭୋକର ଦାଉ ସମ୍ଭାଳି ନପାରି ସେହି ସମୟ ମଧ୍ୟରେ ୧୧ ଜଣ ଲୋକ ପ୍ରାଣ ହରାଇବା ବ୍ୟବସ୍ଥାର ବିକଳ ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।

କରୋନା ଭୂତାଣୁ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି । ଏନେଇ ସାରା ବିଶ୍ୱ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବା ବେଳେ କ୍ଷୁଧା ଭଳି ଏକ ମହାମାରୀ ଯେ ମାନବ ସଭ୍ୟତାକୁ କବଳିତ କରିସାରିଲାଣି ଏକଥା ଅକ୍ସଫମ ରିପୋର୍ଟ ପ୍ରକାଶ କରିଛି । କେବଳ ସେତିକି ନୁହେଁ ଅକ୍ସଫାମ ରିପୋର୍ଟ ମୁତାବକ ଗତବର୍ଷ ଠାରୁ ଏପର୍ଯ୍ୟନ୍ତ ବିଶ୍ୱରେ ଅନାହାର ମୃତ୍ୟୁ ସଂଖ୍ୟା ୬ ଗୁଣ ବୃଦ୍ଧି ପାଇଛି ।

ମାନବ ସଭ୍ୟତାର ମୌଳିକ ଅଧିକାର ଖାଦ୍ୟ, ବସ୍ତ୍ର ଓ ବାସଗୃହ ହୋଇଥିବା ବେଳେ ବିଶ୍ୱକୁ ଚଳାଉଥିବା ବ୍ୟବସ୍ଥାମାନେ ଏକଥାକୁ ଆଜି ଭୂଲି ଯାଇଛନ୍ତି । ଫଳରେ ବିଶ୍ୱର ମୋଟ ଜନସଂଖ୍ୟାର ମାତ୍ର ଅଳ୍ପକିଛି ପ୍ରତିଶତ ଲୋକଙ୍କ ପାଖରେ ପୁଞ୍ଜି ଗଚ୍ଛିତ ହୋଇଛି । ପୁଞ୍ଜିର ସୁ ବଣ୍ଟନ ଓ ଶ୍ରମର ମୂଲ୍ୟ ଦେବାକୁ କୁଣ୍ଠାବୋଧ କରିଛି ବ୍ୟବସ୍ଥା ।

ଅନ୍ୟପଟେ ଭୋକ ଦାଉରୁ ମଣିଷକୁ ରକ୍ଷା କରୁଥିବା ଖାଦ୍ୟ ସାମଗ୍ରୀର ଅଭାବ ବି ପରିଲକ୍ଷିତ ହୋଇଛି । ଏହାର କାରଣ ଭାବେ ସାରା ବିଶ୍ୱରେ ଶାସନକାରୀମାନେ ବାରମ୍ବାର କୃଷି ଓ କୃଷକ ଶ୍ରେଣୀକୁ ଅବହେଳା କରିଛନ୍ତି । ଏହାସହ ଅନେକ କ୍ଷେତ୍ରରେ ଶ୍ରମର ଲୁଣ୍ଠନ ସହ ମାନବ ଶ୍ରମକୁ ଅଗ୍ରାଧିକାର ନଦେଇ ମେସିନ ମାଧ୍ୟମରେ କାମ କରାଇ ଅଧିକ ଲାଭବାନ ହେବାକୁ ଲକ୍ଷ୍ୟ ରଖିଛି ପୁଞ୍ଜିପତି ସମାଜ । ଯାହାର କରୁଣ ପରିଣତି ଆଜି ଅକ୍ସଫାମ ରିପୋର୍ଟରେ ପ୍ରକାଶିତ ହୋଇଛି ।
ଏଭଳି ପରିସ୍ଥିତିରେ ଶ୍ରମ, ଶ୍ରମିକ ଓ କୃଷି, କୃଷକ ଉପରେ ଯଦି ବ୍ୟବସ୍ଥାର ଶୁଭ ନଜର ନରହିବ ତେବେ ଭୂତାଣୁର ମହାମାରୀ ଠାରୁ ଭୋକର ମହାମାରୀ ମାନବ ସଭ୍ୟତାକୁ ଧ୍ୱଂସ କରିଦେବ ।