ଅସୁସ୍ଥ ହେବାରୁ ଅଲୋଡା ହୋଇଗଲା ଘୋଡା: ଅସହାୟ ଅବସ୍ଥାରେ ରାସ୍ତାରେ ବାନ୍ଧି ଦେଇ ଚାଲିଗଲେ ମାଲିକ 

98

କନକ ବ୍ୟୁରୋ: କେତେ ସ୍ୱାର୍ଥପର ଏ ଦୁନିଆ । ସତରେ ସ୍ୱାର୍ଥ ସରିଗଲେ କଥା ସରିଯାଏ । ଅଲୋଡା ହୋଇଯାଆନ୍ତି ସମସ୍ତେ । ଭଙ୍ଗା କଣ୍ଢେଇ ଭଳି ଫୋପାଡି ଦିଅନ୍ତି ମାଲିକ । ଏକଥା ଆମେ କହୁନାହୁଁ, କଥା କହିପାରୁନଥିବା ଏଇ ଘୋଡା ନିହାତି ଏକଥା ମନେ ମନେ ଭାବୁଥିବ । ଦେଖନ୍ତୁ କେମିତି ଅସୁସ୍ଥ ଘୋଡାକୁ ଖୁଂଟରେ ବାନ୍ଧି ଛାଡି ପଳାଇ ଯାଇଛି ମାଲିକ । ଟଙ୍କା ରୋଜଗାର କରୁଥିବା ବେଳେ ଘୋଡାକୁ ଯତ୍ନର ସହିତ ରଖିଥିଲେ । ହେଲେ ସ୍ୱାର୍ଥ ହାସଲ ହୋଇଯିବା ପରେ ଘୋଡାକୁ କେମିତି ମରଣମୁହଁରେ ଛାଡି ଦେଇଛି ମାଲିକ । ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଳିଆ ସ୍ଥିତ ଜାତୀୟ ରାଜପଥ କଡରେ ବିଦ୍ୟୁତ ଖୁଂଟରେ ବାନ୍ଧି ଚାଲିଯାଇଛି ମାଲିକ । ଘୋଡାର ଗୋଡରେ ଗଭୀତ କ୍ଷତ ହୋଇଛି । ଗୋଡଟି ସଂପୂର୍ଣ୍ଣ ସେଫ୍ଟିକ୍ କରିଯାଇଛି । ଏଭଳି ସ୍ଥିତିରେ ଘୋଡାର ଚିକିତ୍ସା କରିବା ବଦଳରେ ମାଲିକ ତା’କୁ ନିଜ ଠାରୁ ଦୂରେଇ ଦେଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କେହି ଜଣେ ୨ ଦିନ ତଳୁ ଘୋଡାଟିକୁ ଆଣି ଏଠାରେ କିଏ ଛାଡି ଦେଇ ଚାଲି ଯାଇଛି । ଯେତେବେଳେ ଏହି ଘୋଡା ରୋଜଗାର କରି ମାଲିକର ପେଟ ପୋଷୁଥିଲା ସେତେବେଳେ ଘୋଡାକୁ ଖୁଆଇ ପିଆଇ ବେଶ ଯତ୍ନ ନେଉଥିଲା ମାଲିକ । କାରଣ ଏଇ ଘୋଡା ମାଲ ବୋହିଲେ, ମାଲିକକୁ ଦୁଇ ପଇସା ମିଳୁଥିଲା, ତା’ ପେଟ ପୁରୁଥିଲା । ଘୋଡାକୁ ବିବାହ କାର୍ଯ୍ୟରେ ଲଗାଇ, ଘୋଡା ଗୋଡର ନାଲକୁ ବିକ୍ରି କରି ରୋଜଗାର କରିଥାନ୍ତି ମାଲିକମାନେ । ହେଲେ ଦେଖନ୍ତୁ ଯେତେବେଳେ ଘୋଡାଟି ଅସୁସ୍ଥ ହୋଇଗଲା ତା’ ପେଟ କଥା ଟିକିଏ ବି ଚିନ୍ତା କଲାନାହିଁ ମାଲିକ । ରାଜପଥ କଡରେ ଛାଡି ଚାଲିଗଲା । ଘୋଡାଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାର ଚିକିତ୍ସା କରିବାକୁ ଆଗକୁ ଆସିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଆନିମଲ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଅବଗତ କରାଯାଇଥିଲା । ଆନିମଲ ହେଲ୍ପ ଲାଇନ୍ ବାରିପଦା କାର୍ଯ୍ୟାଳୟର ମୁଖ୍ୟ ଭାନୁ ପ୍ରସାଦ ଆଚାର୍ଯ୍ୟ ଓ ପଶୁ ଚିକିତ୍ସକ ସ୍ୱୟଂ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଘୋଡାର ପ୍ରାଥମିକ ଚିକିତ୍ସା କରାଇଛନ୍ତି । ହେଲେ ଚିକିତ୍ସକଙ୍କ କହିବା ଅନୁସାରେ, ଘୋଡାର ଗୋଡରେ ଗୋଇଥିବା ଘା’ର ଚିକିତ୍ସା ହେବାରେ ବିଳମ୍ବ ହେବାରୁ ଏହା କ୍ୟାନ୍ସରରେ ଆକ୍ରାନ୍ତ ହୋଇସାରିଛି । ଫଳରେ ଘୋଡାକୁ ବାରିପଦା ନେଇ ତାର ଗୋଡଟିକୁ କାଟିବାକୁ ପଡିବ ।