କନକ ବ୍ୟୁରୋ: ତାଙ୍କର ସମସ୍ତେ ଅଛନ୍ତି, ହେଲେ କେହି ନାହାନ୍ତି । ତାଙ୍କର ଘର ପରିବାର ଅଛି, ସେ କିନ୍ତୁ ବେଘର ହୋଇଛନ୍ତି । ଭିଡର ସହର ଭୁବନେଶ୍ୱରରେ ସେ ଭାରି ଏକୁଟିଆ ହୋଇଯାଇଛନ୍ତି । ଭଲ ଲାଗୁନି ଘର, ରାଜଧାନୀର ରାସ୍ତା ପାଲଟିଛି ନିଜର । ପର କରିଦେଇଛନ୍ତି ସମ୍ପର୍କୀୟ, ନିଜର କରିନେଇଛି ନିର୍ଜନ ଜନପଥର ନିଛାଟିଆ ଗଛମୂଳ । ରାଜଧାନୀର ରାସ୍ତା, ଭିଡର ସହରରେ ସମସ୍ତେ ଥାନ୍ତି ହେଲେ କେହି ନଥାନ୍ତି । କିନ୍ତୁ ପରିବାର ଯେତେବେଳେ ପଚାରୁନି ସେତେବେଳେ ବା ଏ ଅସହାୟ ବୃଦ୍ଧ କଣ କରିପାରିଥାନ୍ତେ । ବାଧ୍ୟ ହୋଇ ଘରୁ ବାହାରି ଆସିଛନ୍ତି ଆଉ ଏ ଲାଇଟ୍ ପୋଷ୍ଟ ତଳେ ଆଶ୍ରୟ ନେଇଛନ୍ତି...
ନାମ- ରବୀନ୍ଦ୍ର ମୋହନ ଦାସ । ଘର- ଜଗତସିଂହପୁର, ରଘୁନାଥପୁର ଅଞ୍ଚଳରେ । କିନ୍ତୁ ଦୀର୍ଘଦିନ ହେବ ସେ ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ ରହିଆସୁଛନ୍ତି । ପର ଘରେ ପୂଜା ପାଠ କରି ଚଳି ଆସୁଥିଲେ ରବୀନ୍ଦ୍ର । ଏଇ ପୂଜାପାଠରେ ତାଙ୍କର ସବୁ ଜୀବନ କଟିଗଲାଣି । ଏବେ ବିଶ୍ରାମ ନେବାର ବୟସ । କିନ୍ତୁ ଏହି ବଳ ନଥିବା ବୟସରେ ବା ସେ କେମିତି ରୋଜଗାର କରିପାରିବେ । ଘରକୁ ଦୁଇ ପଇସା ଦେଉନଥିବାରୁ ତାଙ୍କୁ କାଳେ ତାଙ୍କ ପୁଅ ଓ ପତ୍ନୀ ଘରୁ ତଡି ଦେଇଛନ୍ତି । ଯାହା କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି ଏ ବୁଢାବାପା ଜଣଙ୍କ ।
ରବୀନ୍ଦ୍ରଙ୍କ ଅଭିଯୋଗ ତାଙ୍କ ପତ୍ନୀ ଚାକିରି କରନ୍ତି, ତାଙ୍କର ଗୋଟେ ପୁଅ ଓ ଦୁଇଟି ଝିଅ ଥାଇ ବି ତାଙ୍କୁ ଅବହେଳା କରାଯାଉଛି । ପରିବାର ଲୋକେ ତାଙ୍କୁ ପିଟାମରା ବି କରନ୍ତି । ଆଉ ଯେତେବେଳେ ନିର୍ଯାତନା ଅସହ୍ୟ ହୋଇଛି, ଘର ଲୋକେ ଯେତେବେଳେ ବାଡେଇ ଘରୁ ତଡି ଦେଇଛନ୍ତି ସେତେବେଳେ ସ୍ୱାର୍ଥପର ସହରକୁ ବିଶ୍ୱାସ କରି ବାହାରି ଆସିଛନ୍ତି ଏ ବୃଦ୍ଧ ଜଣଙ୍କ । ଆଶା ଅଛି ରକ୍ତର ଲୋକେ ଚାହିଁଲେନି ସିନା ରାସ୍ତାର ଲୋକେ ନିହାତି ପଚାରିବେ ।
ଭୁବନେଶ୍ୱର ସୂଚନା ଭବନ ନିକଟ ବିଦ୍ୟୁତ ଖୁଣ୍ଟ ତଳେ ଶୋଇଥିବା ବେଳେ ଅସହାୟ ବୃଦ୍ଧଙ୍କ ଉପରେ ପଡିଥିଲା ସାମ୍ବାଦିକଙ୍କ ନଜର । ଆଉ ତାପରେ ତାଙ୍କ ଦୁଃଖ ଶୁଣି ଶେଷରେ ରହିବାର ବ୍ୟବସ୍ଥା କରାଯାଇଥିଲା । ଓଡିଶା ପତିତା ଉଦ୍ଧାର ସମିତି ପକ୍ଷରୁ ତାଙ୍କୁ ବୃଦ୍ଧାଶ୍ରମକୁ ନିଆଯାଇଥିଲା । ଘରର ଯନ୍ତ୍ରଣାସିକ୍ତ ଜୀବନ ଠାରୁ ବୃଦ୍ଧାଶ୍ରମରେ ରହିବାର ନିଷ୍ପତ୍ତି ନେଇ ବାହାରିଯାଇଥିଲେ ଅସହାୟ ବୃଦ୍ଧ । ତେବେ ରାଜଧାନୀର ଏ ଘଟଣା ନୂଆ ନୁହେଁ । ନିଇତି ଏମିତି ଘଟଣା ସାରା ରାଜ୍ୟରୁ ଆସେ ଆଉ ଆମେ ତାକୁ ଗଣମାଧ୍ୟମରେ ଦେଖାଉ । ପରିବାର, ପିଲାଙ୍କୁ ଧିକାର କରି ଖବର ପ୍ରସାରଣ କରୁ । ହେଲେ କଣ ହେବ ? କିଛି ଫରକ ପଡେନି, କିଛି ବଦଳେନି । ନିର୍ଯାତନା, ଅଣଦେଖାର ଅଲଗା ଅଲଗା କାହାଣୀ ଫି ଦିନ ଦେଖିବାକୁ ମିଳେ । ହେଲେ କାହିଁକି ? କଣ ପାଇଁ ବୁଢା ହେବା ପରେ ଅଲୋଡା ହୋଇଯାଆନ୍ତି ବାପାମାଆ ? ବାପାମାଆଙ୍କୁ ବାଡେଇଲା ବେଳେ କି ଘରୁ ତଡି ଦେଲା ବେଳେ କଣ ସେମାନଙ୍କ ତ୍ୟାଗ କଥା ଜମା ମନେ ପଡେନି? ପିଲାଙ୍କୁ ମଣିଷ କରିବାକୁ ବାପା କରିଥିବା କଷ୍ଟ କଣ କେବେ ଆଖି ସାମ୍ନାରେ ନାଚି ଯାଏନି? ବୃଦ୍ଧ ବାପାମାଆଙ୍କ ଉପରେ ଆଉ ଏମିତି କେତେ ଦିନ ଚାଲିବ ଏସବୁ ଅତ୍ୟାଚାର ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/30-22.jpg)