କନକ ବ୍ୟୁରୋ : ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସିଙ୍କୁ ନେଇ ଏବେ ଦେଶରେ ଜୋରଦାର ଚର୍ଚ୍ଚା । ଖାସକରି ତାଙ୍କ ଗାଡି ଉପରକୁ ଗୁଳିମାଡ ହେବା ଘଟଣାକୁ ସବୁ ରାଜନୈତିକ ଦଳ ନିନ୍ଦା କରିଛନ୍ତି । ଏପରିକି ଲୋକତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଏକସ୍ୱରରେ କହିଛନ୍ତି ଅଧିକାଂଶ ନେତା । ଆଉ ଏସବୁ ଭିତରେ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି କେବଳ ତର୍କ କରିପାରୁନଥିବା କଠୋରପନ୍ଥୀ ବ୍ୟକ୍ତି ହିଁ ସାଂସଦ ଓୱେସିଙ୍କ ହତ୍ୟା କରିବାକୁ ଚାହୁଁଛନ୍ତି । ଓୱେସି ରାଷ୍ଟ୍ରବାଦୀ ନହେଲେ ମଧ୍ୟ ସେ ଜଣେ ଦେଶଭକ୍ତ ।
ଅନେକ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି, ତର୍କ ପରମ୍ପରାରେ ବିଶ୍ୱାସ କରୁନଥିବା କଠୋରପନ୍ଥୀ ହିଁ କେବଳ ସାଂସଦ ଓୱେସିଙ୍କୁ ହତ୍ୟା କରିବାକୁ ଚାହିଁବେ । ଓୱେସି ରାଷ୍ଟ୍ରବାଦୀ ନହେଲେ ବି ଜଣେ ଦେଶଭକ୍ତ । ବିଦେଶରେ ଓୱେସି ଦେଶକୁ ରକ୍ଷା କରିବାକୁ ଆଗେଇ ଆସିବେ କିନ୍ତୁ ହିନ୍ଦୁ ଓ ମୁସଲିମଙ୍କର ସମାନ ଡିଏନଏ ତାହା କେବେ ମଧ୍ୟ ମାନିବେ ନାହିଁ । ଆମେ ତାଙ୍କର ତର୍କକୁ ସାମ୍ନା କରିବା ସହ ଏହାର ସଠିକ୍ ଜବାବ ଦେବା କଥା । କିନ୍ତୁ ଏଭଳି ତର୍କ ପାଇଁ ବର୍ବରତା ବା ହତ୍ୟା ଭଳି ନିଷ୍ପତ୍ତି ନିଆଯିବା ଅନୁଚିତ ।
Only irrational fanatics would want to assassinate Owaisi MP. Owaisi is a patriot even if he is not a nationalist. The difference is that Owaisi will defend our country but he does accept Hindu Muslim DNA is the same. We must meet his articulate arguments and not by barbarism
— Subramanian Swamy (@Swamy39) February 5, 2022
ଏହାପୂର୍ବରୁ ମଧ୍ୟ ଓୱେସିଙ୍କୁ ନେଇ ସମାନ କଥା କହିଥିଲେ ସୁବ୍ରମଣ୍ୟମ ସ୍ୱାମୀ । ୨୦୧୬ରେ ସ୍ୱାମୀ କହିଥିଲେ, ଓୱେସି ଜଣେ ଦେଶଭକ୍ତ କାରଣ ସେ ବିଦେଶରେ ଦେଶକୁ ଡିଫେଣ୍ଡ କରନ୍ତି । କିନ୍ତୁ ସେ କେବେ ରାଷ୍ଟ୍ରବାଦୀ ନୁହଁନ୍ତି କାରଣ ସେ କେବେ ହିନ୍ଦୁଙ୍କୁ ନିଜର ପୂର୍ବଜ ବୋଲି ସ୍ୱୀକାର କରନ୍ତି ନାହିଁ । ଗତ ଗୁରୁବାର ସନ୍ଧ୍ୟାରେ ମେରଠରୁ ଦିଲ୍ଲୀକୁ ଫେରୁଥିବା ବେଳେ ଓୱେସିଙ୍କ ଗାଡି ଉପରକୁ ଗୁଳି ଚାଳନା ହୋଇଥିଲା । ଆଉ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡ଼ିଆରେ ଓୱେସିଙ୍କ ଭାଷଣକୁ ନେଇ ଉଭୟ ନାରାଜ ଥିଲେ ବୋଲି କହିଛନ୍ତି ଅଭିଯୁକ୍ତ । ଏହି ଘଟଣା ପରେ ଓୱେସିଙ୍କୁ ଜେଡ କାଟାଗୋରୀ ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କିନ୍ତୁ ଏହି କାଟାଗୋରୀର ସୁରକ୍ଷା ନେବାକୁ ମନା କରିଥିଲେ ଓୱେସି ।