କନକ ବ୍ୟୁରୋ : ପୋଲିସକୁ ଖୁଲମଖୁଲା ଧମକ ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି । ଉତ୍ତରପ୍ରଦେଶରେ ଏକ ରାଲିରେ ଉଦବୋଧନ ଦେଇ ଉତ୍ତରପ୍ରଦେଶ ପୋଲିସକୁ ଖୋଲାଖୋଲି ଧମକ ଦେଇଛନ୍ତି ଓୱେସି। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମନ୍ତବ୍ୟ ଦେଇ ଏକ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଏକ ନିର୍ବାଚନୀ ରାଲିରେ ସେ କହିଛନ୍ତି ଯେ, ‘ମୁଁ ପୁଲିସ କର୍ମଚାରୀଙ୍କୁ ସ୍ମରଣ କରାଇଦେବାକୁ ଚାଁହୁଛି ଯେ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସବୁଦିନ ପାଇଁ ରହିବେ ନାହିଁ । ଆମେ ମୁସଲମାନମାନେ ନିଶ୍ଚିତ ଭାବରେ ସମୟ ପାଇଁ ନିରବ ଅଛୁ, କିନ୍ତୁ ମନେରଖ ଯେ ଆମେ ତୁମର ଅତ୍ୟାଚାର ଭୁଲିବୁ ନାହିଁ। ସ୍ଥିତି ବଦଳିବ, ତାପରେ କିଏ ତୁମକୁ ବଞ୍ଚାଇବାକୁ ଆସିବ? ଯୋଗୀ ନିଜ ମଠ ଏବଂ ମୋଦୀ ପାହାଡକୁ ଚାଲିଯିବେ। ତାପରେ କିଏ ତୁମକୁ ଉଦ୍ଧାର କରିବାକୁ ଆସିବ’।
ତେବେ ଏଆଇଏମ୍ଆଇଏମ୍ ମୁଖ୍ୟଙ୍କ ଏହି ବୟାନକୁ ନିନ୍ଦା କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯେତେବେଳେ ବି ଆଉରଙ୍ଗଜେବ ଏବଂ ବାବର ଭଳି ଲୋକମାନେ ଦେଶକୁ ଅତ୍ୟାଚାର କରିବାକୁ ଆସନ୍ତି, ମହାରାଣା ପ୍ରତାପ, ଶିବାଜୀ, ଯୋଗୀ ଏବଂ ମୋଦୀଙ୍କ ପରି କେହି ଜଣେ ଆଗକୁ ଆସିବେ।
किसे धमका रहे हो मियां?
याद रखना जब-जब इस वीर भूमि पर कोई औरंगजेब और बाबर आएगा तब-तब इस मातृभूमि की कोख से कोई ना कोई वीर शिवाजी, महाराणा प्रताप और मोदी-योगी बन खड़ा हो जाएगा।
सुनों हम ना डरे थे मुगलों से ना जिन्नावादियों से तो तुमसे क्या खाक डरेंगे! pic.twitter.com/cvbBjqJe53
— Sambit Patra (@sambitswaraj) December 23, 2021
ସେହିପରି ୟୁପି ପୁଲିସ୍, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଓୱେସିଙ୍କ ମନ୍ତବ୍ୟକୁ ନେଇ ବିଜେପି ମୁଖପାତ୍ର ଗୌରବ ଭାଟିଆ ଦୃଢ ବିରୋଧ କରିଛନ୍ତି। ଭାଟିଆ କହିଛନ୍ତି ଯେ ଓୱେସି ହାଇଦ୍ରାବାଦ ସାଂସଦ ଏବଂ ସେ ଅସାମ୍ବିଧାନିକ ମନ୍ତବ୍ୟ ଦେବା ଉଚିତ୍ ନୁହେଁ। ସୂଚନା ଥାଉ କି ଯେ ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓୱେସି ଘୋଷଣା କରିଛନ୍ତି ।
ଏସବୁ ଭିତରେ ଅସଦୁଦ୍ଦିନ ଓୱେସି ସ୍ପଷ୍ଟୀକରଣ ରଖିବା ସହ କହିଛନ୍ତି, ହରିଦ୍ୱାରରେ ଦିଆଯାଇଥିବା ଭାଷଣରୁ ଦୃଷ୍ଟି ହଟାଇବାକୁ କାନପୁରରେ ଦେଇଥିବା ଭାଷଣରୁ ଗୋଟିଏ ମିନିଟର କ୍ଲିପ୍ ସେୟାର କରାଯାଇଛି । ପୂରା ଭାଷଣରେ କେଉଁଠି ହିଂସା କିମ୍ବା ଲୋକଙ୍କୁ ଉସୁକାଇବା ଭଳି କଥା କହିନି କିମ୍ବା କାହାକୁ ଧମକାଇନାହିଁ । ପୋଲିସ ଅତ୍ୟାଚାର ବାବଦରେ ଭାଷଣରେ କହିଛି, କିନ୍ତୁ ଏହାର କିଛି ପାର୍ଟ ସେୟାର କରାଯାଇଛି । ମୁଁ ସେହି ପୋଲିସ ଅଧିକାରୀଙ୍କ ବାବଦରେ କହୁଥିଲି ଯେଉଁମାନେ ୮୦ ବର୍ଷୀୟ ବୃଦ୍ଧଙ୍କ ଉପରେ ଅତ୍ୟାଚାର କରୁଥିଲେ । ଯେଉଁମାନେ ଝିଅ ଆଗରେ ରିକ୍ସା ଚାଳକ ବାପାଙ୍କୁ ପିଟୁଥିଲେ । ସେହିମାନଙ୍କ ଉଦ୍ଦେଶ୍ୟରେ ମୁଁ ଏମିତି କହିଥିଲି ବୋଲି କହିଛନ୍ତି ଓୱେସି ।