କନକ ବ୍ୟୁରୋ : କୋଭିଡ୍ ମୃତ୍ୟୁକୁ ନେଇ କିଏ ଲୁଚାଉଛି ସତ । ନୟାଗଡରୁ ଆସିଥିବା ତଥ୍ୟକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ କଥା କୁହାଯିବାରୁ ଏଭଳି ସନ୍ଦେହ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି ଅଡିଟ୍ ବାହାନାରେ ସତ ଲୁଚାଇବାକୁ ଉଦ୍ୟମ କରୁଛି କି ନୟାଗଡ ଜିଲ୍ଲା ପ୍ରଶାସନ । ସିଡିଏମଓ କହିଲେ, ସେ କାହାକୁ ଦେଇନାହାନ୍ତି ରିପୋର୍ଟ । ଜିଲ୍ଲାପାଳ କହିଲେ, ଅଡିଟ୍ ପରେ ସରକାରଙ୍କୁ ଦିଆଯିବ ଚୂଡାନ୍ତ ରିପୋର୍ଟ । ସରକାର ଓ ସିଡିଏମଓଙ୍କ ମଧ୍ୟରେ ଥିଲା ଆକାଶ ପାତାଳ ଫରକ ।
ନୟାଗଡ଼ରେ କରୋନାଜନିତ ମୃତ୍ୟୁ ତାଲିକା ସିଡିଏମଓଙ୍କ ଠାରୁ ପାଇଥିବା କନକ ନ୍ୟୁଜରେ ସ୍ୱୀକାର କରିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଦ୍ୱିତୀୟ ଲହରରେ ନୟାଗଡ଼ରେ ମାତ୍ର ୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ରିପୋର୍ଟ କହୁଥିବା ବେଳେ ଏହା ୧୦ ଗୁଣରୁ ଅଧିକ ବୋଲି ସିଡିଏମଓ ରିପୋର୍ଟ ଦେଇଥିଲେ ।
କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନୟାଗଡ଼ରେ ହଟଚମଟ ଖେଳି ଯାଇଥିଲା । ଗୁରୁବାର ରାତିରେ ଜରୁରୀକାଳୀନ ବୈଠକ ଡକାଇଥିଲେ ଜିଲ୍ଲାପାଳ । ଯୋଗ ଦେଇଥିଲେ ସିଡିଏମଓ, ଡିପିଏମ, ଡେପୁଟି କଲେକ୍ଟର ଓ ଡିଏଫଓ । ୨ ଘଂଟାର ଘମାଘୋଟ ଆଲୋଚନା ପରେ ମୃତ୍ୟୁ ସଂପର୍କରେ ରିପୋର୍ଟ କାହାରିକୁ ଦେଇନଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ପ୍ରଶ୍ନ ଉଠୁଛି, କୋଭିଡ ମୃତ୍ୟୁ ତଥ୍ୟ ଲୁଚାଇବାକୁ ଚାଲିଛି କି ଉଦ୍ୟମ ? ଖବର ପ୍ରସାରଣ ପରେ ସତ ଫାଙ୍କିବାକୁ ପ୍ରୟାସ କରୁଛି କି ଜିଲ୍ଲା ପ୍ରଶାସନ ? କନକ ନ୍ୟୁଜ ସହ ଫୋନ ବାର୍ତ୍ତାଳାପରେ ସିଡିଏମଓଙ୍କ ଠାରୁ ମୃତକଙ୍କ ତାଲିକାରେ ପାଇଥିବା ନେଇ ସ୍ୱୀକାର କରିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ସାହୁ । ହେଲେ ଏହି ଖବରକୁ ନେଇ ତନାଘନା ହେବା ପରେ କ୍ୟାମେରା ସାମ୍ନାରେ ସେ କିଛି କହିବାକୁ ମନା କରି ଦେଇଛନ୍ତି ।
ଏପଟେ ମୃତକଙ୍କ ଅଡିଟ୍ ରିପୋର୍ଟ ବାହାନାରେ ସତ ଲଗାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି । ସିଡିଏମଓ କହିଛନ୍ତି, ୭ ଦିନ ଭିତରେ ଅଡିଟ୍ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପଟେ ନୟାଗଡ଼ ଜିଲ୍ଲାପାଳ କହିଛନ୍ତି, ସିଡିଏମଓ ଯେଉଁ ରିପୋର୍ଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେଇଥିଲେ, ତାହା ଚୂଡ଼ାନ୍ତ ନୁହେଁ, ଯେତିକି ଅଡିଟ୍ ହୋଇଛି, ରାଜ୍ୟ ସରକାରଙ୍କୁ ସେତିକି ରିପୋର୍ଟ ଦିଆଯାଇଛି । ଖୁବଶୀଘ୍ର ଅନ୍ୟ ମୃତ୍ୟୁଗୁଡିକର ଅଡିଟ୍ କରାଯାଇ ରିପୋର୍ଟ ଦିଆଯିବ ।
କୋଭିଡ୍ ମୃତ୍ୟୁକୁ ନେଇ ସଂଦେହ ସୃଷ୍ଟି ହେବା ପରେ ପ୍ରତ୍ୟେକ କୋଭିଡ୍ ମୃତ୍ୟୁ ସଂପର୍କରେ ୪୮ ଘଂଟା ମଧ୍ୟରେ ଜିଲ୍ଲାସ୍ତରୀୟ କମିଟି ଅଡିଟ୍ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ବିଡମ୍ବନାର କଥା ହେଉଛି, ମୃତ୍ୟୁର ମାସ ମାସ ପରେ ବି ଅଡିଟ୍ ରିପୋର୍ଟ ଦିଆଯାଇନାହିଁ ବୋଲି ସ୍ୱୀକାର କରୁଛି ନୟାଗଡ଼ ଜିଲ୍ଲା ପ୍ରଶାସନ ।