ମଧ୍ୟାହ୍ନ ଭୋଜନରେ ଉପରେ ମହଙ୍ଗା ମାଡ଼ । ଡାଲି ଓ ପରିବା ଦର ଆକାଶଛୁଆଁ । ଡାଲମାରେ ନା ଅଛି ଡାଲି, ନା’ ଅଛି ପରିବା ।

506

କନକ ବ୍ୟୁରୋ: ଡଙ୍କିଏ ଡାଲମାରେ ଥାଳିଏ ଭାତ ପଖାଳ ହୋଇଯାଉଛି । ଡାଲମା ନାଁର ପାଣିଚିଆ ଡାଲି, ଗୋଟେ ଯୋଡେ ଆଳୁ ପାଚିକାଙ୍କ ଦୟାରେ ପିଲାଙ୍କ ଥାଳିରେ ପଡୁଛି । ପରିବା ଦର ଆକାଶ ଛୁଆଁ ହେବା ପରଠୁ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳି ଉପରେ ଯେମିତି ଗ୍ରହଣ ଲାଗିଯାଇଛି । କେବଳ ଆଠଗଡ ଅଞ୍ଚଳ ନୁହେଁ ସାରା ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟ।।ଳୟରେ ମିଡଡେ ମିଲ ପାଣିଚିଆ ହୋଇଯାଇଛି ।

  • ମଧ୍ୟାହ୍ନ ଭୋଜନ ଉପରେ ମହଙ୍ଗା ମାଡ 
  • ପରିବା ପାଇଁ ସରକାରଙ୍କ ଟଙ୍କା ନିଅଣ୍ଟ  

ପିଲାଙ୍କୁ ସ୍କୁଲ ମୁହାଁ କରିବା, ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନ । ହେଲେ ପରିବା ଦର ଅହେତୁକ ବୃଦ୍ଧି ଶିକ୍ଷକ ଓ ସ୍କୁଲ କମିଟିର ଅଡୁଆ ବଢାଇ ଦେଇଛି । ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦୈନିକ ୫ଟଙ୍କା ୯୦ ପଇସା, ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦୈନିକ ୮ଟଙ୍କା ୯୨ ପଇସା ମଧ୍ୟାହ୍ନ ଭୋଜନ ପାଇଁ ଦେଉଛନ୍ତି । କିନ୍ତୁ ପରିବା ଦର ବୃଦ୍ଧି ପରେ ଉନ୍ନତମାନର ଖାଦ୍ୟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ମଧ୍ୟାହ୍ନ ଭୋଜନ ଟଙ୍କା ବୃଦ୍ଧି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ମଧ୍ୟାହ୍ନ ଭୋଜନରେ ସୋମବାର ଏବଂ ଗୁରୁବାର-ଭାତ ଡାଲମା । ମଙ୍ଗଳବାର ଓ ଶୁକ୍ରବାର- ଭାତ,ସୋୟାବଡ଼ି ତରକାରୀ ଏବଂ ବୁଧବାର ଓ ଶନିବାର- ଭାତ, ଅଣ୍ଡା ତରକାରୀ ଦେବାର ନିୟମ ରହିଛି । କିନ୍ତୁ କମ ଟଙ୍କାରେ ଗୁଣାତ୍ମକ ମାନର ଖାଦ୍ୟ ହୋଇପାରିବ ନାହିଁ ବୋଲି ମାନିଛନ୍ତି କଟକ ଜିଲ୍ଲା ଆଠଗଡର ମଣ୍ଡଳ ଶିକ୍ଷା ଅଧିକାରୀ । ଅନ୍ୟପଟେ ଦରଦାମ ବୃଦ୍ଧିକୁ ଆଖିରେ ରଖି ମିଡଡେ ମିଲ ବାବଦକୁ ଆସୁଥିବା ଅର୍ଥରାଶିକୁ ବୃଦ୍ଧି କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ କହିିଛନ୍ତି ।

ମଧ୍ୟାହ୍ନ ଭୋଜନ ପାଇଁ ସରକାର ଧାର୍ଯ୍ୟ କରିଥିବା ଟଙ୍କା ଦରଦାମ ବୃଦ୍ଧି ହେଲେ ବିଷମ ପରିସ୍ଥିତି ସୃଷ୍ଟି କରୁଛି । ପିଲାଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ନିହାତି ଜରୁରୀ । ତେଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଯୋଡି ହୋଇ ରହିଥିବା ଏହି ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।