କନକ ବ୍ୟୁରୋ : ଯୁକ୍ତରାଷ୍ଟ୍ର ଆମେରିକାର ତିନୋଟି ପ୍ରଦେଶରେ ସଙ୍ଗଠିତ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୩୦ଜଣ ଆହତ ହୋଇଥିବା କଥା ଶନିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ଶୁକ୍ରବାର ରାତିରୁ ଶନିବାର ପ୍ରତ୍ୟୁଷ ମଧ୍ୟରେ ଟେକ୍ସାସର ରାଜଧାନୀ ଅଷ୍ଟିନ୍, ଚିକାକୋ ଏବଂ ଜର୍ଜିଆର ସାଭାନ୍ନାରେ ଘଟିଥିବା ତିନୋଟିଯାକ ଗୁଳିକାଣ୍ଡ ଘଟଣାରେ ଶନିବାର ଅପରାହ୍ଣ ସୁଦ୍ଧା କାହାରିକୁ ଗିରଫ କରାଯାଇ ନ ଥିଲା। ଶନିବାର ସକାଳେ କେବଳ ବାର୍ ଏବଂ ରେସ୍ତୋରାଁ ଥିବା ଅଷ୍ଟିନର ଜନଗହଳି ଭରା କେବଳ ପାଦଚଲା ରାସ୍ତାରେ ଗୁଳିକାଣ୍ଡ ଘଟାଇଥିବା ଦୁଇଜଣ ସନ୍ଦିଗ୍ଧ ପୁରୁଷଙ୍କର ସରକାରୀ କର୍ତ୍ତୃପକ୍ଷମାନେ ସନ୍ଧାନ ନେଉଛନ୍ତି। ପୁଲିସ କହିବା ଅନୁସାରେ, ଦୁଇ ଦଳଙ୍କ ମଧ୍ୟରେ ବଚସା ଯୋଗୁଁ ଘଟିଥିବା ଏହି ଗୁଳିକାଣ୍ଡରେ ୧୪ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି।
ସେହିଭଳି, ଚିକାଗୋ ଅନ୍ତର୍ଗତ ଚାତମ୍ ସହର ପାଖ ଫୁଟପାଥରେ ଠିଆ ହୋଇଥିବା ଦଳେ ଲୋକଙ୍କ ଉପରକୁ ଦୁଇଜଣ ଲୋକ ଗୁଳି ଚଳାଇବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୯ଜଣ ଆହତ ହୋଇଛନ୍ତି। ଖସି ପଳାଇଥିବା ଗୁଳିଚାଳକମାନଙ୍କୁ ଶନିବାର ଅପରାହ୍ଣ ସୁଦ୍ଧା ଚିହ୍ନଟ କରାଯାଇ ପାରିନାହିଁ।
ଏହା ବ୍ୟତୀତ, ଦକ୍ଷିଣ ଜର୍ଜିଆର ସାଭାନ୍ନାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ନିହତ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଆହତଙ୍କ ମଧ୍ୟରେ ଅଛନ୍ତି ଜଣେ ୧୮ ମାସର ଶିଶୁ ଓ ଜଣେ ୧୩ ବର୍ଷିୟ ବାଳକ। ଦୁଇ ଦଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଗୁଳିକାଣ୍ଡ ଘଟିଥିବା କଥା ସାଭାନ୍ନା ପୁଲିସ ମୁଖ୍ୟ କନିଷ୍ଠ ରୟ ମିଣ୍ଟର୍ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Austin-Shooting-750x430.jpg)