ଉତ୍ତରପ୍ରଦେଶରେ କାହିଁକି ହାରିଲା ବିଜେପି ? କାର୍ଯ୍ୟକାରିଣୀ ବୈଠକରେ ଦଳ କଲା ମାନସମନ୍ଥନ, ଦଳ ଭିତରେ ଚାଲିଥିବା କନ୍ଦଳ ହେଲା ବୁମେରାଂ 

3,284

କନକ ବ୍ୟୁରୋ :  ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ସଂଖ୍ୟା ୨୦୧୪ ଓ ୨୦୧୯ ତୁଳନାରେ କମିଛି । ୟୁପିରେ ଏବଂ କେନ୍ଦ୍ରରେ ଦଳ କ୍ଷମତାରେ ଥାଇ ବି ଅନେକ ସ୍ଥାନରେ ହାରିଛି । କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଯେଉଁଭଳି ଏକାଠି ହୋଇ ବିଜେପିକୁ ଟକ୍କର ଦେଲେ ତାହା ଦଳ ପାଇଁ ବୁମେରାଂ ହୋଇଛି। ଆଗକୁ ୟୁପିରେ ୧୦ ବିଧାନସଭା ଆସନ ଏବଂ ୨୦୨୭ରେ ବିଧାନସଭା ନିର୍ବାଚନ ରହିଛି । ବିରୋଧୀ ଶିବିର ଆକ୍ଟିଭ ହେବାପରେ ଲୋକଙ୍କ ହାଓ୍ୱା ତାଙ୍କ ସମର୍ଥନରେ ଯାଉଥିବା କୁହାଯାଉଛି। ଏହାରି ଭିତରେ ରବିବାର ୟୁପିରେ ବିଜେପିର ବଡ ବୈଠକ ବସିଥିଲା । ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ୟୁପି ବିଜେପି ମୁଖ୍ୟ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଆଉ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ଜୋଶ ବଢାଇବାକୁ ଯାଇ ନିଜେ ମୁଖ୍ୟମନ୍ତ୍ରୀ ଦଳର ଭୁଲ୍ କଣ ଥିଲା ଆଗକୁ କଣ କରିବାକୁ ପଡିବ କହିଛନ୍ତି। ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁଁ ସାଧାରଣ ନିର୍ବାଚନରେ ପରାଜୟ ଘଟିଥିବା ଯୋଗୀ ସ୍ୱୀକାର କରିଛନ୍ତି। କର୍ମୀଙ୍କୁ ବିଜୟ ମନ୍ତ୍ର ଦେବା ସହିତ ଅତ୍ୟଧିକ ଆତ୍ମବିଶ୍ୱାସ କିପରି କ୍ଷତିକାରକ ସାବ୍ୟସ୍ତ ହୁଏ ତାହା ମଧ୍ୟ କହିଛନ୍ତି ଯୋଗୀ।

୨୦୧୯ରେ ୟୁପିରେ ବିଜେପି ଏକାକୀ ୮୦ ଲୋକସଭା ଆସନରୁ ୭୧ଟି ବିଜୟୀ ହୋଇଥିଲା । ଏଥର କିନ୍ତୁ ଏହି ସଂଖ୍ୟା କମି ୩୩କୁ ଖସି ଆସିଛି । ତେବେ ଦଳର ଭୋଟ୍ ପ୍ରତିଶତ କମିନାହିଁ, ତେଣୁ ୨୦୨୭ରେ ମଧ୍ୟ ୟୁପିରେ ପଦ୍ମ ଫୁଟିବ ବୋଲି ଯୋଗୀ ଆଦିତ୍ୟନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜେପି ସଭାପତି ଜେପି ନଡ୍ଡା ଅଧିକାରୀଙ୍କ ବିରୋଧରେ ଜନ ଅସନ୍ତୋଷ । ନେତା ଓ କର୍ମୀଙ୍କ କଥା ଶୁଣାଯାଉନାହିଁ । ଓବିସି ଓ ଦଳିତ ଭୋଟ ହ୍ରାସ । ଦଳ ଭିତରେ ଚାଲିଥିବା କଳହର ଅନ୍ତ । ସମ୍ବିଧାନରେ ପରିବର୍ତ୍ତନ ଆଣିଥିବା ଦ୍ୱନ୍ଦ୍ୱ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପଟେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ନହେବାରୁ ଏପରି ପରିଣାମ ହୋଇଛି ବୋଲି କଂଗ୍ରେସ ନେତା କହିଛନ୍ତି।

ବିଜେପି କାର୍ୟ୍ୟକାରିଣୀ ବୈଠକରେ ୟୁପିରେ ଲୋକସଭା ନିର୍ବାଚନରେ ବିଜେପିର ପରାଜୟର ସମୀକ୍ଷା ସହ ପରବର୍ତ୍ତୀ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ପୁଣି ଥରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଚେଷ୍ଟା କରିଛନ୍ତି।