ଦୁଷ୍କର୍ମ ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ, ୧୦୨୩ ଟି ଫାଷ୍ଟଟ୍ରାକ୍ କୋର୍ଟ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

160

କନକ ବ୍ୟୁରୋ : ଦେଶରେ ଦୁଷ୍କର୍ମରେ ଶିକାର ହେଉଥିବା ମହିଳା ଓ ନାବାଳିକାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ୧୦୨୩ ଟି ଫାଷ୍ଟଟ୍ରାକ୍ କୋର୍ଟ ନିର୍ମାଣ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ୧୦୨୩ ଟି ଫାଷ୍ଟଟ୍ରାକ୍ କୋର୍ଟ ନିର୍ମାଣ କରାଯିବ । ଏହି ଯୋଜନାରେ ୧,୫୮୬ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି କୋର୍ଟଗୁଡିକ କାର୍ଯ୍ୟକ୍ଷମ ହେବ ।

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ନିର୍ମାଣ ହେବାକୁ ଥିବା ଏହି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ୩୮୯ ଟି ପୋକ୍ସୋ କୋର୍ଟ ରହିବ ।

ଅନ୍ୟପଟେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି କି ଏହି ଫାଷ୍ଟଟ୍ରାକ୍ କୋର୍ଟ ପାଇଁ ବିନିଯୋଗ ହେବାକୁ ଥିବା ଅର୍ଥରୁ କେନ୍ଦ୍ର ସରକାର ୯୭୧ କୋଟି ଟଙ୍କା ବହନ କରିବେ ଓ ୬୦୧.୧୬ କୋଟି ଟଙ୍କା ରାଜ୍ୟ ସରକାରମାନେ ବହନ କରିବେ ।

ଅନ୍ୟପଟେ ସ୍କୁଲ ଶିକ୍ଷାର ଗୁଣବତ୍ତା ସୁଧାରିବାକୁ ସମଗ୍ର ଶିକ୍ଷା ଯୋଜନା ଉପରେ କେନ୍ଦ୍ର ସରକାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିବେ । ଏହି କ୍ରମରେ ୨୦୨୬ ସୁଦ୍ଧା ୩ ଲକ୍ଷ କୋଟି ବିନିଯୋଗ କରିବେ କେନ୍ଦ୍ର ସରକାର । ୩ ବର୍ଷର ପିଲାଙ୍କୁ ବି ସରକାର ଖେଳ ସହିତ ଯୋଡିବାକୁ ଚେଷ୍ଟା କରିବେ । ଏହି ଯୋଜନାରେ ସର୍ବଶିକ୍ଷା ଅଭିଯାନକୁ ବି ଯୋଡା ଯାଇଛି । ଏହି ଯୋଜନା ମାଧ୍ୟମରେ ୧୫.୬ କୋଟି ପିଲା ଉପକୃତ ହେବେ ବୋଲି କୁହାଯାଇଛି ।