କରୋନା ଗତିରେ ବ୍ରେକ୍ ! ଗତ ୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କଠୁ ବଢ଼ିଲା ସୁସ୍ଥଙ୍କ ସଂଖ୍ୟା । ସଂକ୍ରମଣ କମିବା ନେଇ ଦେଉଛି କି ଶୁଭ ସଂକେତ? 

1,404

କନକ ବ୍ୟୁରୋ : ଭୂତାଣୁ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଲଗାତାର ୫ ଦିନ ହେବ କରୋନା ଗତିରେ ଲାଗିଛି ବ୍ରେକ । ଗତ ୫ ଦିନ ମଧ୍ୟରେ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ଯାଉଛି । କରୋନାର କଇଁଛ ଗତି ଖବର ଏବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛିି । ଯଦି ଏଭଳି ସଂଖ୍ୟା ଚାଲୁ ରହିବ ତେବେ ଆଗକୁ ରାଜ୍ୟରେ କରୋନା ବେଗ ସମ୍ପୂର୍ଣ୍ଣ କମିଯିବ ବୋଲି ଆଶା କରାଯାଉଛି ।  

ଦିନ ଥିଲା ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୪ ହଜାରରୁ ଅଧିକ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହେଉଥିଲେ । ଏବେ ମଧ୍ୟ ଚିହ୍ନଟ ହେଉଛନ୍ତି ହେଲେ ଏହି ସଂଖ୍ୟା ଆଗରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି । ସୁସ୍ଥ ହାର ବଢୁଥିବାରୁ ଏବେ ଏହା କିଛିକାଂଶରେ  ରାଜ୍ୟ ସରକାରଙ୍କ ଚିନ୍ତା ଦୂର କରିଛି । 

ତେବେ ନଜର ପକାନ୍ତୁ କ’ଣ କହୁଛି ଗତ ୫ ଦିନର କରୋନା ଟ୍ରେଣ୍ଡ୍:-

ଗତ ୨୫ ତାରିଖରେ ରାଜ୍ୟରେ ୪ ହଜାର ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୪ ହଜାର ୩୮୮ ଜଣ ସୁସ୍ଥ ହୋଇଥିଲେ । ୨୬ ତାରିଖରେ ୪ ହଜାର ୩୫୬ ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ୭୬୧ ସୁସ୍ଥ ହୋଇଥିଲେ । ପରେ ୨୭ ତାରିଖରେ ଏହି ସଂଖ୍ୟା ଟିକେ ଉପର ତଳ ହୋଇଥିଲା । ଅର୍ଥାତ ୩ ହଜାର ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୩୭୮ ଜଣ ସୁସ୍ଥ ହୋଇଘରକୁ ଫେରିଥିଲେ । 

ସେହିଭଳି ୨୮ ତାରିଖରେ ୩ ହଜାର ୨୩୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୧୪ ଜଣ ସୁସ୍ଥ ହୋଇଥିଲେ । ସେହିପରି ୨୯ ତାରିଖରେ ୩ ହଜାର ୬୭ ପଜିଟିଭ ଚିହ୍ନଟ ହୋଇତିବା ବେଳେ ୩୮୯୬ ଜଣ ସୁସ୍ଥ ହୋଇଛନ୍ତି । ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରିହେବ କି ରାଜ୍ୟରେ କରୋନା ବେଗରେ ବ୍ରେକ ଲାଗିଛି । 

ସବୁଠାରୁ ବଡ଼ କଥା ହେଲା କି, ଯଦି ଏଭଳି ଆକ୍ରାନ୍ତ ସଂଖ୍ୟା କମି କମି ଯାଏ ତେବେ ବିଶେଷଜ୍ଞମାନେ ଦେଇଥିବା ମତ ସତ ହୋଇଯିବ । ପୂର୍ବରୁ ବିଶେଷଜ୍ଞ ମାନେ ମତ ଦେଇଥିଲେ ଅକ୍ଟୋବର ଶେଷ ସୁଦ୍ଧା ସଂକ୍ରମଣର ହାର କମିବା ସହ ସୁସ୍ଥ ହାର ଅଧିକ ମାତ୍ରାରେ ବଢ଼ିବ । ଆଉ ବିଭିନ୍ନ ରାଜ୍ୟରୁ କରୋନାର କୋପ କମିବ । ଯାହାକି ବର୍ତ୍ତମାନର ଟ୍ରେଣ୍ଡରୁ ଧିରେ ଧିରେ ଅନୁମାନ ହେଉଛି ।