ହସ୍ପିଟାଲ ଓ ଆରଟିଓରେ ଦଲାଲଙ୍କୁ ଗୋଡାଇ ଗୋଡାଇ ଧରୁଛି ପୁଲିସ । ଗତକାଲି ୩୦ ଜଣଙ୍କୁ ଗିରଫ ପରେ ଆଜି ପୁଣି ବନ୍ଧା ହେଲେ ୭୫ ଜଣ ଦଲାଲ୍ ।

469

କନକ ବ୍ୟୁରୋ : ଆଜି ଦିନ ତମାମ୍ ସାରା ରାଜ୍ୟରେ ହସ୍ପିଟାଲ ଓ ଆରଟିଓ ଅଫିସମାନଙ୍କରେ ତନାଘନା ଚଳାଇଥିଲା ପୁଲିସ । ପୁଲିସ ଟାର୍ଗେଟରେ ଥିଲେ ଲୋକଙ୍କୁ ଠକୁଥିବା ଦଲାଲ । ଗତକାଲି ଠାରୁ ଦଲାଲଙ୍କୁ ଗିରଫ କରିବା ପ୍ରକ୍ରିୟା ଚଳାଇଛି ପୁଲିସ । ଆଜି ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓ ଅଫିସମାନଙ୍କରୁ ୭୫ ଜଣ ଦଲାଲଙ୍କୁ ଗିରଫ କରିଛି ଓଡିଶା ପୁଲିସ । ଗତକାଲି କେବଳ ଡାକ୍ତରଖାନାରୁ ୩୦ ଜଣ ଦଲାଲଙ୍କୁ ଧରିଥିଲା ପୁଲିସ ।

ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଜୟପୁର । ରାଜ୍ୟର ବିଭିନ୍ନ ସ୍ଥାନରେ ହସ୍ପିଟାଲରୁ ଗିରଫ ହେଉଥିବା ଦଲାଲଙ୍କ ଚିତ୍ର । ଏହି ଚିତ୍ର ହିଁ ବୟାନ କରୁଛି ସରକାରୀ ହସ୍ପିଟାଲଗୁଡିକରେ କିଭଳି ବର୍ଷବର୍ଷ ଧରି ଚାଲିଥିଲା ଦଲାଲରାଜ୍ । ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧିନରେ ପୋଲିସ ଷ୍ଟେସନ୍, ହସ୍ପିଟାଲ, ଆରଟିଓ ଗୁଡିକୁ ଲୋକଙ୍କ ପ୍ରତି ଅଧିକ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଆଉ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଔପଚାରିକ ଭାବେ ‘ମୋ ସରକାର’ ଆରମ୍ଭ ହେବା ପୂର୍ବରୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ ।

ଭଦ୍ରକ :
ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚଢାଉ କରିଛି ଟାଉନଥାନା ପୋଲିସ । ହସ୍ପିଟାଲ ଓ ରୋଗୀଙ୍କ ଭିତରେ ଦଲାଲିଗିରି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ବାଲେଶ୍ୱର :
ଟିକେ ଭଲକରି ଦେଖନ୍ତୁ ଏହି ଚେହେରାସବୁ । ଦୂର ଦୂରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲ୍ଲୋଭନ ଦେଖାଇ ଏମାନେ ଘରୋଇ ହସ୍ପିଟାଲ କିମ୍ବା ପାଥୋଲାବକୁ ନେବାରେ ପ୍ରମୁଖ ଭୂମିକା ନେଉଥିଲେ ।

ହସ୍ପିଟାଲରେ ରୋଗୀ କିଭଳି ସେବା ପାଉଛନ୍ତି ସେନେଇ ଗାନ୍ଧୀ ଜୟନ୍ତୀରୁ ସିଧାସଳଖ ଫୋନ କରି ପ୍ରତିକ୍ରିୟା ନେବେ ମୁଖ୍ୟମନ୍ତ୍ରୀ । ତେଣୁ ଏହା ପୂର୍ବରୁ ହସ୍ପିଟାଲକୁ ଦଲାଲମୁକ୍ତ କରିବା ପାଇଁ ଅଂଟା ଭିଡିଛି ପୋଲିସ । ଶୁକ୍ରବାର ବିଭିନ୍ନ ଜିଲ୍ଲାରେ ହସ୍ପିଟାଲ ଓ ଆରଟିଓ ମାନଙ୍କରୁ ୨୫ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଗୁରୁବାର ମଧ୍ୟ ୮ଟି ଜିଲ୍ଲାରେ ୩୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏମାନଙ୍କ କାମ ହେଲା-

– ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ପ୍ରଲ୍ଲୋଭିତ କରି ଅଧିକ ଖର୍ଚ୍ଚାନ୍ତରେ ପକାଇବା
– ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଦେଖା ନପାଇଲେ ଘରୋଇ କ୍ଲିନିକକୁ ନେବା ପାଇଁ ଉସୁକାଇବା
– ସରକାରୀ ହସ୍ପିଟାଲରେ ରୋଗର ପରୀକ୍ଷା କରିନପାରିଲେ ଘରୋଇ ପାଥୋଲାବକୁ ନେବା
– ବାହାରେ ଭଲ ଓ କମ୍ ମୂଲ୍ୟରେ ଚିକିତ୍ସା ମିଳିବ କହି ଗରିବ ରୋଗୀଙ୍କ ଶୋଷଣ କରିବା

ଜଗତସିଂହପୁର :
ସବୁଠାରୁ ବଡକଥା ହେଉଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ଦଲାଲଙ୍କୁ ଧରିଛି ପୋଲିସ । ହସ୍ପିଟାଲର ବହିର୍ବିଭାଗ ସାମ୍ନାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଏହି ମହିଳାଙ୍କୁ ପୋଲିସ ଉଠାଇ ଆଣିଥିଲା ।

ନବରଙ୍ଗପୁର :
ସରକାରଙ୍କ ଦଲାଲ ସଫେଇ ଅଭିଯାନ ଏମାନଙ୍କ ବ୍ୟବସାୟ କେବଳ ବନ୍ଦ କରିନାହିଁ ବରଂ ଜେଲ ହାଜତରେ ପହଂଚାଇ ଦେଇଛି । ବ୍ଲଡ ବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାଏଲିସିସ ଆଦି ସେବା ଯୋଗାଇଦେବା ନାଁରେ ରୋଗୀଙ୍କୁ ଶୋଷଣ କରୁଥିବା ଦଲାଲଙ୍କୁ କାବୁ କରାଯାଇଛି ।

ଏସବୁ ଭିତରେ କିନ୍ତୁ ମେଡିସିନ୍ ରିପ୍ରେଜେଂଟେଟିଭ ମାନଙ୍କୁ ଦଲାଲ କହି ପୋଲିସ ଗିରଫ କରୁଥିବା ଅଭିଯୋଗ ହୋଇଛି । ଏହା ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ସେଲ୍ସ ରିପ୍ରେଜେଂଟେଟିଭ ୟୁନିଅନ୍ । ୟୁନିୟନ୍ ପକ୍ଷରୁ ପୋଲିସ ପ୍ରଶାସନର କାର୍ଯ୍ୟନୁଷ୍ଠାନକୁ ନିନ୍ଦା କରାଯାଇଛି ।