କନକ ବ୍ୟୁରୋ: ଓଡ଼ିଶାରେ ମଧ୍ୟ ୬ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସେବା ବନ୍ଦ ରହିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଡାକ୍ତରଖାନାକୁ ଆସି ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି ରୋଗୀ। ହସ୍ପିଟାଲ ଗୁଡ଼ିକୁ ସେଫ୍ ଜୋନ୍ ଭାବେ ଘୋଷଣା ସହ ବିମାନବନ୍ଦର ଭଳି ସୁରକ୍ଷା ଯୋଗାଇ ଦେବାକୁ ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

Advertisment

ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ, ସୁରକ୍ଷା ଯାଞ୍ଚର ପ୍ରୋଟୋକଲ୍ ପାଳନ କରିବାକୁ ଅପିଲ ହୋଇଛି। ଏହାସହ ହସ୍ପିଟାଲରେ ରେସିଡେଣ୍ଟ ଡାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ କରିବାକୁ ମଧ୍ୟ ଦାବି କରିଛି ସଂଘ। ଗତ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ କାର୍ଯ୍ୟରତ ଜଣେ ପୋଷ୍ଟ ଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରିଦିଆଯାଇଥିଲା। ଘଟଣା ପରେ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ଜାରି ରହିଛି।

ପ୍ରଥମେ ସୁରକ୍ଷା ତାପରେ ଡ୍ୟୁଟି। କୋଲକାତାରେ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଉରକେଲାରେ ପଡିଛି ପ୍ରଭାବ। ପ୍ରଥମେ ସୁରକ୍ଷା ତାପରେ ଡ୍ୟୁଟି । ହାତରେ ପ୍ଲା କାର୍ଡ ଓ ବିଭିନ୍ନ ନାର ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ରାଉରକେଲା ସରକାରୀ ଡାକ୍ତରଖାନା, ଇସ୍ପାତ ଜେନେରାଲ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ଓ ଛାତ୍ରଛାତ୍ରୀ। ସ୍ଥାନୀୟ ଉତ୍କଳମଣୀ ହୋମିଓପାଥି କଲେଜରେ ଡାକ୍ତର ଓ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବା ସହ କାମ ବନ୍ଦ ଡାକରା ଦେଇ ଧାରଣା ଦେଇଛନ୍ତି।

ମାଲକାନଗିରି ଜିଲ୍ଲାର ଓମସା ଶାଖାର ଡାକ୍ତର ମାନେ ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଏକ କ୍ୟାଣ୍ଡେଲ ଶୋଭା ଯାତ୍ରାରେ ନଗର ପରିକ୍ରମା କରିଥିଲେ। ମୃତ ଡାକ୍ତର ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ କାର୍ଜ୍ୟକ୍ଷେତ୍ରରେ ମହିଳାଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରି ଲାଗି ଦାବି କରିଛନ୍ତି ଡାକ୍ତର ।

ନବରଙ୍ଗପୁରରେ ମଧ୍ୟ ଜିଲ୍ଲାର ଡାକ୍ତରଙ୍କ ପକ୍ଷରୁ ସନ୍ଧ୍ୟା ସମୟରେ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସହରର ଦଶହରାପଦା ସ୍ଥିତ ମେଡିକାଲ ଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା ଭଣ୍ଡାର ଘରଣୀ ମନ୍ଦିର ପର୍ୟ୍ୟନ୍ତ ପହଞ୍ଚିଥିଲେ । ଡକ୍ଟରଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି କ୍ୟାଣ୍ଡେଲ ରାଲ୍ଲୀ ରେ ମହିଳା ଓକିଲ ସଂଘ , ସହ ଜିଲ୍ଲାର ଅନେକ ମହିଳା ସଙ୍ଗଠନ ରାଲିରେ ସାମିଲ ହୋଇଥିଲେ। ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ଫାଶୀ ଦଣ୍ଡ ପ୍ରଦାନ ପାଇଁ ଦାବି କରିଥିଲେ।