ଆମେରିକାରେ ଆତଙ୍କ ! ବନ୍ଧୁକଧାରୀଙ୍କ ବର୍ବରଚିତ ନରସଂହାର

34

କନକ ବ୍ୟୁରୋ : ପୁଣି ଆମେରିକାରେ ନରସଂହାର । ବନ୍ଧୁକଧାରୀ ଆତତାୟୀ ନେଇଛି ୫୦ରୁ ଅଧିକ ଜୀବନ । ଗୁଳିମାଡରେ ୪ଶହରୁ ଅଧିକ ଆହତ ହୋଇଛନ୍ତି । ଲସ୍ ଭେଗାସର ମାଣ୍ଡେଲା ବେ କେସିନୋ ଅଂଚଳରେ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ଧାଧୁନ ଗୁଳିମାଡ କରିଛି ଅଜଣା ଦୁର୍ବୃତ୍ତ । ତେବେ ପୋଲିସର ପାଲଟା ଆକ୍ରମଣରେ ଅଭିଯୁକ୍ତ ପ୍ରାଣ ହରାଇଛି । ଆଉ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଘଟଣାରେ କୌଣସି ଆତଙ୍କବାଦୀ ଲିଙ୍କ ନଥିବା ପୋଲିସ ସ୍ପଷ୍ଟ କରିଛି । ରବିବାର ରାତି ହୋଇଥିବାରୁ କେସିନୋ ଅଂଚଳରେ ଜୋରଦାର ଭିଡ ହୋଇଥିଲା । ଯାହାକୁ ଟାର୍ଗେଟ୍ କରିଥିଲା ଅଭିଯୁକ୍ତ ।

ରାତି ପ୍ରାୟ ୧୦ ଟା :
ଆମେରିକା ଲସ୍ ଭେଗାସର ମାଣ୍ଡେଲା ବେ କେସିନୋରେ ଚାଲିଥିଲା ମ୍ୟୁଜିକ୍ କନସର୍ଟ । ହଠାତ୍ ଶୁଣାଗଲା ବନ୍ଧୁକର ଗର୍ଜନ । ଅନ୍ଧାଧୁନ୍ ଗୁଳିମାଡ । କେହି କିଛି ଭାବିବା ଆଗରୁ ନିଜ ସ୍ଥାନରେ ଟଳିପଡିଲେ ଦର୍ଶକ । ଚାରିଆଡେ ରକ୍ତାକ୍ତ ପରିବେଶ । କେସିନୋ କାନ୍ଥରେ ରକ୍ତର ଛିଟା । କାହା ଦେହରେ ଗୁଳି ଲାଗିଥିଲା ତ ଆଉ କାହାକୁ ଲହୁ ଲୁହାଣ କରିଦେଇଥିଲା । ଜଣଙ୍କ ଦେହରେ ଲାଗିଥିଲା ଏକାଧିକ ବୁଲେଟ୍ । ପ୍ରଥମେ ରକ୍ ବ୍ୟାଣ୍ଡର ହାଇ ଭଲ୍ୟୁମରେ ମଜି ଯାଇଥିବା ଦର୍ଶକ ଶୁଣିପାରିନଥିଲେ ବନ୍ଧୁକର ଗର୍ଜନ । ହେଲେ ଚାହୁଁ ଚାହୁଁ ଚଟାଣ ଉପରେ ଟଳିପଡିଥିଲେ ଦର୍ଶକ । ଆଉ କିଛି ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଚାରିଆଡେ ଚିକ୍ରାର । ଭୟର ବାତାବରଣ । ଘଟଣାସ୍ଥଳରେ ଖେଳିଯାଇଥିଲା ଆତଙ୍କ । ଏହାରି ଭିତରେ ହତ୍ୟାକାରୀକୁ ଚିହ୍ନଟ କରିସାରିଥିଲା ପୋଲିସ । ସ୍ପଷ୍ଟ ହୋଇସାରିଥିଲା ନିକଟରେ ଥିବା ଏକ ହୋଟେଲର ୩୨ ନମ୍ବର ଫ୍ଲୋରରୁ ଗୁଳି ଚଳାଉଥିଲା ସନ୍ଦିଗ୍ଧ । ଆଉ କିଛି ସମୟ ମଧ୍ୟରେ ପୋଲିସର ପାଲଟା ଆକ୍ରମଣରେ ପ୍ରାଣ ହରାଇଥିଲା ଅଭିଯୁକ୍ତ ।

ଆମେରିକା ଇତିହାସର ସବୁଠୁ ବଡ ଗଣହତ୍ୟା : ବନ୍ଧୁକଧାରୀଙ୍କ ବର୍ବରଚିତ ନରସଂହାର
ଲାସ ଭେଗାସର ଏହି ଘଟଣା ଆମେରିକା ଇତିହାସର ସବୁଠୁ ବର୍ବରଚିତ ଆକ୍ରମଣ । ପୂର୍ବରୁ ଓର୍ଲାଣ୍ଡୋ ନାଇଟ୍ କ୍ଲବରେ ଅଜଣା ଦୁର୍ବୃତର ଗୁଳିମାଡରେ ୪୯ ଜଣ ପ୍ରାଣ ହରାଇଥିଲେ । ତାଠୁ ବଳିଯାଇଛି ଲାସ ଭେଗାସର ଏହି ଗଣହତ୍ୟା । ତେବେ ଘଟଣା ପଛରେ ଆତଙ୍କବାଦୀ ଲିଙ୍କ ନଥିବା ସ୍ପଷ୍ଟ କରିଛି ପୋଲିସ । ଗୁଳି ଚଳାଇଥିବା ବ୍ୟକ୍ତି ଏକା ରହୁଥିବା ବେଳେ ତାର ଜଣେ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ ।

ଲସ୍ ଭେଗାସରେ ଆତତାୟୀର ଗଣହତ୍ୟା ପରେ ସହରରେ ନାକାବନ୍ଦୀ କରିଛି ପୋଲିସ । ବିମାନ ଚଳାଚଳ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ଥିବା ଅନ୍ୟ ବିଲଡିଂରେ ଖୋଜାଖୋଜି କରୁଛି । ହତ୍ୟାକାରୀର ରୁମରୁ ୭ଟି ବନ୍ଧୁକ ଜବତ କରାଯାଇଛି । ସେପଟେ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକାର ଲାସଭେଗାସ ଗୁଳିକାଣ୍ଡ ସଂପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆସନ୍ତୁ ନଜର ପକାଇବା ବର୍ତମାନ ସମୟର ୧୦ଟି ନୂଆ ତଥ୍ୟ ଉପରେ ।

(୧) ଆକ୍ରମଣ ପଛରେ ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ହାତ ଥିବା ଦାବି କଲା ସଂଗଠନ ।

(୨) ଗୁଳି କରିଥିବା ୬୪ ବର୍ଷୀୟ ଷ୍ଟିଫେନ ପାଡୋକ ପ୍ରାୟ ମାସେ ତଳେ ଇସଲାମ ଧର୍ମ ଗ୍ରହଣ କରିଥିଲା ।

(୩) ପୋଲିସ ହୋଟେଲ ରୁମ୍ରେ ପହଂଚିବା ପୂର୍ବରୁ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଥିଲା ଆକ୍ରମଣକାରୀ ।

(୪) ଆକ୍ରମଣକାରୀ ଷ୍ଟିଫେନ ପାଡୋକ ନିକଟରୁ ୮ଟି ବନ୍ଧୁକ ଜବତ କରିଛି ପୋଲିସ ।

(୫) ଆକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦୦ରୁ ଅଧିକ ଆହତ ସୂଚନା ।

(୬) ଲାସଭେଗାସରେ ଚାଲିଥିବା ମ୍ୟୁଜିକ କନସର୍ଟରେ ପ୍ରାୟ ୨୨ ହଜାର ଲୋକ ଥିଲେ ।

(୭) ନିକଟରେ ଥିବା ଏକ ହୋଟେଲର ୩୨ତମ ଫ୍ଲୋରରୁ ଅନ୍ଧାଧୁନ ଗୁଳିମାଡ କରିଥିଲା ଷ୍ଟିଫେନ ।

(୮) ଆକ୍ରମଣକାରୀର ଗୁଳିରେ ଲାସଭେଗାସ ମେଟ୍ରୋପଲିଟାନ ପୋଲିସର ଦୁଇ କର୍ମଚାରୀ ଆହତ ।

(୯) ଲାସଭେଗାସ ଗୁଳିକାଣ୍ଡରେ ମୃତାହତଙ୍କ ଭିତରେ କୌଣସି ଭାରତୀୟ ନଥିବା ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ।

(୧୦) ଆତଙ୍କବାଦୀ ହମଲାରେ ମୃତାହତଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।