କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଓ ତା ସହିତ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଏନେଇ ସରକାର କରୋନାକୁ ପ୍ରତିହତ କରିବାକୁ ଟିକାକରଣ ଉପରେ ଫୋକସ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୧୫-୧୮ ବର୍ଷ ମଧ୍ୟରେ ୩ କୋଟି  କିଶୋର ଓ କିଶୋରୀଙ୍କୁ ଟିକାର ପ୍ରଥମ ଖୋରାକ ଦିଆଯାଇଛି । ଜାନୁଆରୀ ୩ ତାରିଖରୁ କିଶୋର କିଶୋରୀଙ୍କ ପାଇଁ ସରକାର ଟିକା ପ୍ରଦାନ କରୁଛନ୍ତି ।
କହିରଖୁ କି ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨,୪୭,୪୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣରେ ଗତ ୨୪ ଘଂଟା ମଧ୍ୟରେ ୩୮୦ ଜଣ ପ୍ରାଣ ହରାଇଛନ୍ତି । କରୋନାର ଏହି ଗତି ଦ୍ୱିତୀୟ ଲହର ଠାରୁ ଦ୍ରୁତ ବୋଲି ଜଣାପଡିଛି । ସବୁଠାରୁ ବଡ ଚିନ୍ତାର କାରଣ କରି ଦେଶରେ ଲଗାତର ଭାବେ ସକ୍ରିୟ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୧୧,୧୭,୫୩୧ ଜଣ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

Advertisment

ଅନ୍ୟପଟେ କରୋନା ସଂକ୍ରମଣ ମାମଲାରେ ପୂର୍ବ ଦୁଇଟି ଲହର ଭଳି ତୃତୀୟ ଲହରରେ ବି ମହାରାଷ୍ଟ୍ର ଆଗରେ ରହିଛି । ଏହି କ୍ରମରେ ମହାରାଷ୍ଟ୍ର ପୋଲିସ ମୁତାବକ ରାଜ୍ୟରେ ୨୬୫ ଜଣ ପୋଲିସ କର୍ମୀ କରୋନା ସଂକ୍ରମଣରେ ପ୍ରାଣ ହରାଇ ସାରିଛନ୍ତି । ଏହାସହ ଏବେ ରାଜ୍ୟ ପୋଲିସରେ ୨,୧୪୫ ଜଣ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ସେହିଭଳି କରୋନା ସଂକ୍ରମଣ ମାମଲାରେ ଦ୍ୱିତୀୟରେ ରହିଛି ଦିଲ୍ଲୀ । ଏଠାରେ ଗତ ୨୪ ଘଂଟାରେ ୨୭,୫୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ ଲୋକଙ୍କ ଜୀବନ ଯାଇଛି ।