ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ିର ନାହିଁ ଫିଟନେସ୍, ରାଜ୍ୟରେ ରହିଛି ୧୨ ହଜାରରୁ ଅଧିକ ପୁରୁଣା ବସ: ଟୁକୁନି ସାହୁ

155

କନକ ବ୍ୟୁରୋ: ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ିର ନାହିଁ ଫିଟନେସ୍ । ବିନା ଫିଟନେସରେ ରହିଛି ୧୨ ହଜାରରୁ ଅଧିକ ବସ୍! ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏନେଇ ଲିଖିତ ଉତ୍ତର ରଖିଛନ୍ତି । ଓଡ଼ିଶା ସ୍କ୍ରାପିଂ ପଲିସି-୨୦୨୨ ସମ୍ପର୍କରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟରେ ରହିଥିବା ପୁରୁଣା ଗାଡ଼ିର ତାଲିକା ଦେଇଛନ୍ତି ପରିବହନ ମନ୍ତ୍ରୀ । ଏହି ତାଲିକା ଉପରେ ନଜର ପକାନ୍ତୁ । ରାଜ୍ୟରେ ଅଛି ୧୨ ହଜାର ୩୫୯ ବସ୍, ଯାହା ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା । ଯାହାର ଫିଟନେସ୍ ନାହିଁ । ମାତ୍ର ୮,୫୫୭ ବସର ଫିଟନେସ୍ ରହିଛି । ଏପରିକି ଶିକ୍ଷାନୁଷ୍ଠାନରେ ବ୍ୟବହୃତ ହେଉଥିବା ୧୨୩୧ ବସ୍ ୧୫ ବର୍ଷ ପୁରୁଣା । ସେହିପରି ୨ ହଜାରରୁ ଅଧିକ ପୁରୁଣା ଡମ୍ପର ରହିଛି । କେବଳ ୨୬୦ଟି ଡମ୍ପରର ଫିଟନେସ୍ ଅଛି । ଦେଢ଼ ଲକ୍ଷରୁ ଅଧିକ ସାମଗ୍ରୀ ପରିବହନ ଗାଡ଼ି ପୁରୁଣା ହୋଇଗଲାଣି । ନିୟମ ଅନୁଯାୟୀ ରାଜ୍ୟରେ ଏବେ ୨୦ ଲକ୍ଷରୁ ଅଧିକ ଗାଡ଼ି ସ୍କ୍ରାପିଂ ପାଇଁ ଉପଯୁକ୍ତ । ଯେଉଁଥିରେ ରହିଛି ପାଖାପାଖି ୧୩ ଲକ୍ଷ ବାଇକ୍ ଓ ସ୍କୁଟର ।

ଗାଡ଼ି                                     ୧୫ ବର୍ଷ ପୁରୁଣା                    ଫିଟନେସ୍ ଅଛି
ବସ୍                                        ୧୨,୩୫୯                           ୮,୫୫୭
ବସ୍ (ଶିକ୍ଷାନୁଷ୍ଠାନ)                       ୧,୨୩୧                            ୩,୬୩୫
ଡମ୍ପର                                        ୨,୦୩୪                            ୨୬୦
ସାମଗ୍ରୀ ପରିବହନ ଗାଡ଼ି            ୧,୫୪,୪୨୯                        ୨,୧୮,୭୫୯
୧ କୋଟିରୁ ଅଧିକ                    ୨୦.୩୯ ଲକ୍ଷ                        ୮୦.୨୦ ଲକ୍ଷ
ବାଇକ୍ ଓ ସ୍କୁଟର                    ୧୨,୯୯,୩୫୧                      ୬୩,୩୯,୮୪୪

ପରିବହନ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ଯେତିକି ଫିଟନେସ୍ ଥିବା ବସ ଚାଲିଛି, ତା’ଠାରୁ ପ୍ରାୟ ଦେଢ଼ ଗୁଣ ଅଧିକ ୧୫ ବର୍ଷର ପୁରୁଣା ଗାଡ଼ି । ଏପରିକି ଶିକ୍ଷାନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ୧୨୩୧ଟି ବସ୍ ପୁରୁଣା । ଯଦି ଏଗୁଡିକ ରାସ୍ତାରେ ଗଡୁଥାଏ, ତେବେ ଏହା କେତେ ସାଂଘାତିକ ଅନୁମାନ କରିହେଉଛି ।

ପ୍ରଦୂଷଣ ଓ ଦୁର୍ଘଟଣା ରୋକିବା ପାଇଁ ସରକାର ଆଣିଛନ୍ତି ସ୍କ୍ରାପିଂ ପଲିସି । ଯେଉଁଥିରେ ୧୫ ବର୍ଷରୁ ଅଧିକ ସମୟ ଧରି ପଞ୍ଜିକୃତ ହୋଇଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ । ବିଧାନସଭାରେ ଲିଖିତ ଉତ୍ତର ରଖି ପରିବହନ କହିଛନ୍ତି, ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ସମସ୍ତ ପୁରୁଣା ଗାଡ଼ି ଗୁଡିକୁ ହଟାଇ ଦିଆଯିବା ପାଇଁ ନିଷ୍ପତି ହୋଇଛି । ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ ।