ସୋମାଲିଆରେ ବୋମା ବିସ୍ଫୋରଣ : ୨୦ ମୃତ, ୩୦ରୁ ଅଧିକ ଆହତ

75

କନକ ବ୍ୟୁରୋ: ଶନିବାର ଦିନ ସୋମାଲିଆର ରାଜଧାନୀରେ ଥିବା ଏକ ଜନପ୍ରିୟ ହୋଟେଲ୍ ବାହାରେ ଏକ ଆତ୍ମଘାତୀ ଟ୍ରକ୍ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୨୩ ଜଣ ଲୋକ ନିହତ ହେବା ସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କୋଠା ମଧ୍ୟରେ ଥିବା ଅନ୍ୟ ଆକ୍ରମଣକାରୀଙ୍କୁ ନିରାପତ୍ତା ବଳ ଅନୁଧାବନ କରୁଥିବାରୁ ଗୁଳି ଚାଳନା ଅବ୍ୟାହତ ଥିବା କଥା ପୁଲିସ କହିଛି । ଆଉ ଦୁଇଟି ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣା ଯାଇଛି । ସେଥି ମଧ୍ୟରୁ ଜଣେ ଆତ୍ମଘାତୀ ପରିଧାନ-ବୋମା ଫୁଟାଇବାବେଳେ ସଂଘଠିତ ହୋଇଥିବା ପ୍ରକାଶ।

ଗଣମାଧ୍ୟମକୁ ଟେଲିଫୋନ୍ ଯୋଗେ କ୍ୟାପଟେନ୍ ମହମ୍ମଦ ହୁସେନ୍ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ପ୍ରାସାଦ ନିକଟସ୍ଥ ନାସା-ହାବ୍ଲୋଡ୍ ହୋଟେଲର ସବା ଉପର ମହଲାରେ ଆତଙ୍କବାଦୀମାନେ ଛପି ଥିବାରୁ ସେଠାରେ ସରକାରୀ ଅଧିକାରୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି । ହୁସେନ୍ କହିଛନ୍ତି: ୫ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରାଯାଇଛି । ରାତି ମାଡ଼ି ଆସିବାରୁ ଅନ୍ୟମାନେ ଗ୍ରେନେଡ୍ ଫିଙ୍ଗିବା ସହ କୋଠାର ବିଦ୍ୟୁଦ୍ ସଂଯୋଗ ଛିନ୍ନ କରି ଦେଇଛନ୍ତି ।

ଆଫ୍ରିକାର ସବୁଠୁ ମାରାତ୍ମକ ଇସଲାମିକ୍ ଟେରରିଷ୍ଟ୍ ଗ୍ରୁପ୍ ‘ଅଲ୍-ଶବାବ୍’ ଶନିବାର ଆକ୍ରମଣ ନିମନ୍ତେ ତୁରନ୍ତ ନିଜକୁ ଦାୟୀ କରି କହିଛି ଯେ ତାଙ୍କର ଯୋଦ୍ଧାମାନେ ହୋଟେଲ୍ ଭିତରେ ଅଛନ୍ତି । ମୃତ ଲୋକମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମାଆ ଏବଂ ଜଣେ ବାଳୁତ ସହ ତିନୋଟି ପିଲା । ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ହୁସେନ୍ କହିଛନ୍ତି । ଅନ୍ୟ ପୀଡ଼ିତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ବରିଷ୍ଠ ସୋମାଲି ପୁଲିସ କର୍ଣ୍ଣେଲ୍, ଜଣେ ପୂର୍ବତନ ସାଂସଦ ଏବଂ ଜଣେ ପୂର୍ବତନ ସରକାରୀ ମନ୍ତ୍ରୀ । ବିସ୍ଫୋରଣରେ ବିଶେଷ ଧ୍ୱଂସ ପାଇଥିବା ଏକ ଛିଡ଼ା ହୋଇଥିବା କାର୍ ପଛପଟ ଦେଇ ଚାଲି ଯିବାରୁ ମହମ୍ମଦ୍ ଡେକ୍ ହାଜି ବୋମା ମାଡ଼ରୁ ବର୍ତ୍ତିଯାଇଥିବା କଥା କହିଛନ୍ତି । ସେ କହିଛନ୍ତି ଯେ, ସାମରିକ ପୋଷାକ ପରିହିତ ଅନ୍ୟୂନ ତିନି ଜଣ ଶସ୍ତ୍ରଧାରୀ ଲୋକ ଫାଟକ ପାଖରେ ବୋମା ବିସ୍ଫୋରଣ କରି ହୋଟେଲ୍ ଆଡ଼କୁ ଧାଇଁ ଯାଇଥିଲେ ।

ଡାକ୍ତରଖାନା ଶେଯରେ ଶୋଇ ରହି ସେ ଆହୁରି କହନ୍ତି: ମୁଁ ଭାବୁଛି ହୋଟେଲ୍ ଉଡ଼ାଇ ଦେବାକୁ ଉଦ୍ୟମ କରୁଥିବା ଲୋକେ ଥିଲେ ଅଲ୍-ଶବାବର ଲଢୁଆ । ଛିଟିକି ଆସୁଥିବା ଭଙ୍ଗା କାଚ ମାଡ଼ରେ ତାଙ୍କର କାନ୍ଧ ଓ ଖପୁରି କ୍ଷତବିକ୍ଷତ ହୋଇଛି । ନିରାପତ୍ତା ଅଧିକାରୀମାନେ କହନ୍ତି: ଗେଟ୍ ବାହାରେ ଟ୍ରକ୍ ଅଚଳ ହୋଇ ପଡ଼ିଛି ବୋଲି ଶନିବାର ବୋମା-ଫିଙ୍ଗାଳି ବାହାନା କରିଥିଲେ । ମହମ୍ମଦ ଅବଦୁଲ୍ଲାହି କହନ୍ତି: ବୋମା ବିସ୍ଫୋରଣ କରିବା ପୂର୍ବରୁ ମେଘନାଦ ପାଚେରି ପରିବେଷ୍ଟିତ ହୋଟେଲ୍ ବାହାରେ ବୋମା-ଫିଙ୍ଗାଳିମାନେ ଅଟକି ଟ୍ରକ୍ ସଜାଡ଼ିବାର ବାହାନା କରିଥିଲେ ।

ଅଲ୍-ଶବାବ୍ ସର୍ବଦା ମୋଗାଦିଶୁର ହାଇ-ପ୍ରୋଫାଇଲ୍ ଅଞ୍ଚଳରେ ଆକ୍ରମଣ କରେ । ଆମେରିକୀୟ ସାମରିକ ବାହିନୀ ମଧ୍ୟ ଏ ବର୍ଷ ସୋମାଲିଆରେ ଅଲ୍-ଶବାବ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିଥିଲା । ବିଶ୍ୱ ଆତଙ୍କବାଦ ଆଫ୍ରିକା ମହାଦେଶର ଗଭୀର ଅଭ୍ୟନ୍ତରକୁ ପ୍ରବେଶ କରୁଥିବାରୁ ଆମେରିକୀୟ ସେନା ସେମାନଙ୍କ ଉପରେ ପ୍ରାୟ ୨୦ଟି ଡ୍ରୋନ୍ ଆକ୍ରମଣ କରିଥିଲା ।