ଦେଶରେ ୨ଦିନରେ ଟିକା ନେଲେ ୨ ଲକ୍ଷ ୨୪ ହଜାର ଲୋକ: ୪୪୭ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା

134

କନକ ବ୍ୟୁରୋ: ୧୬ରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ କାର୍ଯ୍ୟକ୍ରମ କାଲି ମଧ୍ୟ ଜାରି ରହିଥିଲା । ତେବେ ଗତକାଲି କେବଳ ୬ଟି ରାଜ୍ୟରେ ଟୀକାକରଣ ହୋଇଥିଲା । ଆଜିଠାରୁ ସମସ୍ତ ରାଜ୍ୟରେ ପୁଣି ଥରେ ସ୍ବାଭାବିକଭାବେ ଟୀକାକରଣ ଆରମ୍ଭ ହେବ । ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ପ୍ରାୟ ୧୭୦୭୨ ଜଣ ଟିକା ନେଇଥିଲେ ।

ଶନିବାର ଏବଂ ରବିବାରକୁ ମିଶାଇ ଦେଶରେ ମୋଟ ୪୪୭ ଜଣଙ୍କ ଶରୀରରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା । ପାର୍ଶ୍ବପ୍ରତିକ୍ରିୟା ମଧ୍ୟରେ ରହିଛି ସାମାନ୍ୟ ଜ୍ବର ଓ ମୁଣ୍ଡବିନ୍ଧା ଆଦି । ସେମାନଙ୍କ ମଧ୍ୟରୁ ମାତ୍ର ୩ଜଣଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଇତି ମଧ୍ୟରେ ସୁସ୍ଥ ଅନୁଭବ କରିବାକୁ ହସପିଟାଲରୁ ଛାଡ଼ ପାଇଛନ୍ତି । ଆଉ ଜଣେ ଏମ୍ସ ଋଷିକେଶରେ ଭର୍ତ୍ତି ଅଛନ୍ତି ଓ ଏବେ ସେ ସୁସ୍ଥ ଅଛନ୍ତି । ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।

ଟୀକାକରଣର ପ୍ରଥମ ଦିନରେ ପ୍ରାୟ ୨ ଲକ୍ଷ ୭ ହଜାର ୨୨୯ ଜଣ ଟିକା ନେଇଥିଲେ । ଶନିବାର ଏବଂ ରବିବାରକୁ ମିଶାଇ ସାରା ଦେଶରେ ମୋଟ ୨ ଲକ୍ଷ ୨୪ ହଜାର ୩୦୧ ଜଣ ଟିକା ନେଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ରଓ୍ବାଲ କହିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଭାରତରେ କରୋନା ନିୟନ୍ତ୍ରଣ ପାଇଁ ଜରୁରୀ କାଳିନ ଭିତିରେ ଦୁଇଟି ଟିକା କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଛି ।