କନକ ବ୍ୟୁରୋ : ନିର୍ବାଚନରେ ବିପର୍ଯ୍ୟୟ ପରେ ଭୁଶୁଡିବାରେ ଲାଗିଛି କଂଗ୍ରେସ ସଂଗଠନ । ଗୋଟିଏ ପଟେ ଅଧ୍ୟକ୍ଷ ପଦରେ ରହିବାକୁ ଅରାଜି ରାହୁଲ ଗାନ୍ଧି । ଅନ୍ୟପଟେ ଏକାଧିକ ନେତା ବିଭିନ୍ନ ପଦପଦବୀ ଛାଡୁଛନ୍ତି । ନୂଆ କରି ଟିମ୍ ଗଠନ କରିବାକୁ ରାହୁଲଙ୍କୁ ସ୍ୱାଧୀନତା ଦେବା ପାଇଁ ସେମାନେ ଏଭଳି କରିଥିବା କହୁଛନ୍ତି । ପ୍ରଥମେ ଦଳର ଲ ଓ ଆରଟିଆଇ ସେଲ ଅଧ୍ୟକ୍ଷ ବିବେକ ତନଖା ନିଜ ପଦରୁ ଇସ୍ତଫା ଦେବାପରେ ଏହି ତାଲିକା ଲମ୍ବିବାରେ ଲାଗିଛି । କଂଗ୍ରେସ ଆଉ ବୁଝାମଣାରେ ଚାଲିପାରିବ ନାହିଁ ଏବଂ ଏହାକୁ ଏକ ଲଢୁଆ ଫୋର୍ସ ଭାବେ ଗଢି ତୋଳିବାକୁ ପଡିବ କହି ଗୁରୁବାର ରାତିରେ ଇସ୍ତଫା ଦେଇଥିଲେ ବିବେକ ।

Advertisment

publive-imageଏହାପରେ ଦିଲ୍ଲୀ କଂଗ୍ରେସର କାର୍ଯ୍ୟକାରୀ ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିପରି ମେଘାଳୟ, ଛତିଶଗଡ, ମଧ୍ୟପ୍ରଦେଶ ଓ ହରିଆଣାରେ ଅନେକ ନେତା ଦଳର ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ଦଳ ୟୁପିରେ ସମସ୍ତ ଜିଲ୍ଲା କମିଟିକୁ ଭାଙ୍ଗିଦେଇ ଏକ ତିନି ଜଣିଆ ଶୃଙ୍ଖଳା କମିଟି ଗଠନ କରିଛି । ଆମେଠିରୁ ରାହୁଲ ଗାନ୍ଧିଙ୍କ ପରାଜୟ ପରେ ୟୁପିରେ ଦଳୀୟ ଅନୁଶାସନକୁ ମାନୁନଥିବା ନେତାଙ୍କୁ ଖୋଜା ଯାଉଛି । ଏପଟେ ଦଳର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳଙ୍କୁ ରାହୁଲ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଆଉ ଦଳର ଅଧ୍ୟକ୍ଷ ପଦରେ ରହିବେ ନାହିଁ । କିନ୍ତୁ ଦଳକୁ ବିକଳ୍ପ ନେତୃତ୍ୱ ନମିଳିବା ଯାଏଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ।