ନିଷ୍ଠୁର ମଣିଷ । ୧୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଲେ । 

226

କନକ ବ୍ୟୁରୋ : ନିର୍ଦ୍ଦୟୀ, ନିଷ୍ଠୁର, ଅମାନୁଷିକ । ଯେତେ ଶବ୍ଦ ପ୍ରୟୋଗ କଲେ ବି କମ ପଡିବ । ଇଏ ଏମିତି ଏକ ଘଟଣା ଯାହା ମଣିଷକୁ ପଶୁ ସହ ତୁଳନା କଲେ ବି କମ ପଡିବ । କାରଣ ମୁହଁ ଖୋଲି ପ୍ରତିବାଦ କରି ପାରୁନଥିବାରୁ ସେମାନଙ୍କ ସହ ଅମାନୁଷିକ ବ୍ୟବହାର କରୁଛି ମଣିଷ । ସେହିଭଳି ଏକ ଘଟଣା କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ ଗାଁରୁ ସାମ୍ନାକୁ ଆସିଛି ।ଯାହା ସଭ୍ୟ ସମାଜର ମୁଣ୍ଡକୁ ମଧ୍ୟ ତଳକୁ ନୁଆଁଇବାକୁ ବାଧ୍ୟ କରିବ । କାରଣ ଏଠାରେ ବିଷ ଦେଇ ଏକାଥରକେ ୧୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । କେବଳ ଏତିକି ନୁହେଁ ପାପକର୍ମକୁ ଲୁଚାଇବାକୁ ଏହାକୁ ମାଟି ତଳେ ପୋତିଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ, କମ୍ବାଦାଲୁ-ହୋସୁର ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ଗ୍ରାମପଞ୍ଚାୟତର ନିର୍ଦ୍ଦେଶ କ୍ରମେ ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହୋଇଛି । ୧୦୦ କୁକୁରଙ୍କ ଜୀବନ ନେବା ସହ ଏମାନଙ୍କୁ ମାଟି ତଳେ ପୋତି ଦିଆଯାଇଥିଲା । ଆଉ ଏହାର ଟେର ମଧ୍ୟ କେହି ମଧ୍ୟ ପାଇନଥିଲେ । ତେବେ ପଶୁପକ୍ଷୀଙ୍କୁ ଉଦ୍ଧାର କରୁଥିବା କ୍ଲବର ସଦସ୍ୟ କୌଣସି ସୂତ୍ରରୁ ଖବର ପାଇବା ପରେ ଏଠାରେ ପହଞ୍ଚିଥିଲେ । ଆଉ ମାଟି ଖୋଳିବା ପରେ ଯାହା ଦେଖିଥିଲେ ତାହା ଥିଲା ବେଶ ଯନ୍ତ୍ରଣାଦାୟକ । କାରଣ ମାଟିତଳେ ମରି ପଡିଥିଲେ ଶହେରୁ ଅଧିକ ବୁଲା  କୁକୁର ।

ଏପରିକି ଏହି ବୁଲା କୁକୁରଙ୍କୁ ବିଷ ଦିଆଯିବା ପରେ ଜିଅନ୍ତା ଅବସ୍ଥାରେ ପୋତି ଦିଆଯାଇଥିବା ସନ୍ଦେହ କରୁଛନ୍ତି କ୍ଲବର କାର୍ୟ୍ୟକର୍ତ୍ତା ।  ତେବେ ଏଭଳି ଜଘନ୍ୟ କାଣ୍ଡ ପାଇଁ  ପଞ୍ଚାୟତର ଅଧିକାରୀଙ୍କ ଉପରେ ମାମଲା ରୁଜୁ କରାଯାଇଛି । ପଶୁ ଡାକ୍ତରଙ୍କର ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି  ଯାଞ୍ଚ କରୁଛି । ଶିବମୋଗା ଏସପି କହିଛନ୍ତି, ଗ୍ରାମପଞ୍ଚାୟତର ଅଧିକାରୀଙ୍କ କହିବା ଅନୁଯାୟୀ, ବୁଲା କୁକୁରଙ୍କୁ ପ୍ରଥମେ ବିଷ ଦିଆଯାଇ ହତ୍ୟା କରିବା ପରେ ମାଟି ତଳେ ପୋତି ଦିଆଯାଇଥିଲା ।